ସାଦା ପୋଷାକରେ ଭାରତ ସୀମାରେ ପଶିବା ଉଦ୍ୟମ କରି ଧରାପଡ଼ିଲେ ଚୀନ ସେନା

ଲଦାଖ: ଗୋଟିଏ ପଟେ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରୟାସ ବି ଜାରି ରହିଛି। ଏସବୁ ଭିତରେ ଚୀନ୍‌ ସେନା (PLA) ନିୟମିତ ଅନୁପ୍ରବେଶ ଉଦ୍ୟମ ବି କରୁଛନ୍ତି। ଏହି କ୍ରମରେ, ଚୀନ୍ ସୈନିକମାନେ ଲଦାଖ ସୀମା ପାର ହେଉଥିବା ଦେଖିବାକୁ ମିଳିଛି। ସେମାନେ ସାଧା ପୋଷାକରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଧରାପଡିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଲେହର ୧୩୫  କିଲୋମିଟର ପୂର୍ବରେ ଥିବା ନିଓମା ଅଞ୍ଚଳର ଚାନ୍‌ତାଙ୍ଗ ଗ୍ରାମରୁ ଏହି ଘଟଣା ଘଟିଛି। ତେବେ  ଚୀନ୍ ସେନା ଅଧିକ ଭିତରକୁ ଆସି ପାରି ନ ଥିଲେ।  ଆଇଟିବିପି ସେନା ଏବଂ ସ୍ଥାନୀୟ ଲୋକ ସେମାନଙ୍କୁ ଭଗାଇବାରେ ସଫଳ ହୋଇଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ଖବର ଅନୁଯାୟୀ, ଭାରତ-ଚୀନ୍ ସୀମାରେ ଚୀନ୍ ସୈନିକ ଦୁଇଟି ଗାଡିରେ ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ। ଚାନ୍‌ତାଙ୍ଗ ଅଞ୍ଚଳର ଲୋକେ ରବିବାର ଏହାର ଏକ  ଭିଡିଓ ସେୟାର କରିଛନ୍ତି। ତେବେ  ଭାରତୀୟ ସେନା ଏବଂ ଆଇଟିବିପି ଏ ବାବଦରେ କୌଣସି ବିବୃତ୍ତି ଦେଇ ନାହାଁନ୍ତି କିମ୍ବା ଏହି ଘଟଣାକୁ ନିଶ୍ଚିତ କରି ନାହାଁନ୍ତି।

ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ଚୀନ୍ ସୈନିକମାନଙ୍କର ଏକ ଦଳ ଦୁଇଟି ଯାନ ବ୍ୟବହାର କରି ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେମାନେ ସାଦା ପୋଷାକରେ ଥିଲେ ଏବଂ  ସ୍ଥାନୀୟ ମେଷପାଳକମାନଙ୍କୁ ସେଠାରେ ସେମାନଙ୍କର ପଶୁ ଚରାଇବାକୁ ବାରଣ କରିଥିଲେ।

ତେବେ  ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଦୃଢ ବିରୋଧ କରିଥିଲେ ଯାହା ଫଳରେ ସେମାନଙ୍କୁ ଫେରିବାକୁ ପଡିଲା। ଲୋକଙ୍କ କହିବାନୁସାରେ, ଆଇଟିବିପି କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚି ଚୀନ୍ ସେନାଙ୍କୁ ଚେତାବନୀ ଦେଇଥିଲେ। ତେବେ ଗାଡିରେ ଉପସ୍ଥିତ ଲୋକ  ଚାଇନାର ସାଧାରଣ ନାଗରିକ ନା ସୈନିକ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣା ୪/୫ ଦିନ ତଳର ବୋଲି କୁହାଯାଉଛି।

You might also like