ଭୁଲ୍‌ରେ ଯୁବତୀଙ୍କୁ କରୋନା ଭ୍ୟାକ୍‌ସିନ୍‌ର ୬ଟି ଡୋଜ୍‌ ଦେଇଦେଲେ ନର୍ସ, ତା’ପରେ…

ରୋମ୍‌: କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଭାରତ ସମେତ ଅନେକ ଦେଶରେ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଭ୍ୟାକ୍‌ସିନ୍‌ ନେବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଭ୍ୟାକ୍‌ସିନ୍‌ ନେବା ପାଇଁ କେଉଁଠି ଶୃଙ୍ଖଳିତ ଭାବେ ଲୋକମାନେ ଧାଡ଼ିରେ ଛିଡ଼ା ହେଉଥିବା ବେଳେ ଆଉ କେଉଁଠି ସାମାଜିକ ଦୂରତାକୁ ଭୁଲି ଆଗ ଭ୍ୟାକ୍‌ସିନ୍‌ ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଏସବୁ ଭିତରେ ଇଟାଲୀରେ ଜଣେ ନର୍ସଙ୍କ ଅବହେଳା ଯୋଗୁ ଜଣେ ଯୁବତୀଙ୍କୁ ଏକାସଙ୍ଗେ କରୋନା ଭ୍ୟାକ୍‌ସିନ୍‌ର ୬ଟି ଡୋଜ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ମେ’ ୯ରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଇଟାଲୀର ଜଣେ ୨୩ ବର୍ଷୀୟ ଛାତ୍ରୀଙ୍କୁ ଏକ ହସ୍ପିଟାଲ୍‌ରେ ଜଣେ ନର୍ସ ଭୁଲ୍‌ବଶତଃ ଫାଇଜର(Pfizer) ଟିକାର ପୂରା vial ଦେଇଥିଲେ। ଯାହାକି ୬ଟି ଡୋଜ୍‌ ନେବା ସହ ସମାନ। ନ୍ୟୁଜ୍‌ ଏଜେନ୍ସି AGIର ରିପୋର୍ଟ ଅନୁସାରେ, ଏହି ଘଟଣା ପରେ ହସ୍ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟିକାର ୬ଟି ଡୋଜ୍‌ ନେବା ପରେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏହା କିଭଳି ପ୍ରଭାବ ପକାଇଥିବା, ସେନେଇ ସମସ୍ତେ ଚିନ୍ତିତ ଥିଲେ। ୨୪ ଘଣ୍ଟା ପାଇଁ ସମ୍ପୃକ୍ତ ଯୁବତୀଙ୍କୁ ମେଡିକାଲ୍‌ ଅବ୍‌ଜର୍‌ଭେସନ୍‌ରେ ରଖା ଯାଇଥିଲା। ତେବେ ତାଙ୍କ ନିକଟରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଯିବା ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। କିଛିଦିନ ପାଇଁ ଲଗାତାର ଭାବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି। କାରଣ ଏହାଦ୍ୱାରା ତାଙ୍କ ଶରୀରରେ କୌଣସି ପ୍ରଭାବ ପଡ଼ିଛି କି ନାହିଁ, ତାହା ଚେକ୍‌ଅପ୍‌ କରାଯିବ।

ଘଟଣାକୁ ନେଇ ଉକ୍ତ ହସ୍ପିଟାଲ୍‌ର ଡାଇରେକ୍ଟର କହିଛନ୍ତି, ଏହି ଘଟଣା ପରେ ଉକ୍ତ ଯୁବତୀଙ୍କ ନିକଟରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ତାଙ୍କୁ ୨୪ ଘଣ୍ଟା ଅବ୍‌ଜର୍‌ଭେସନ୍‌ରେ ରଖା ଯାଇଥିଲା। Pfizer ଟିକାର ଏତେ ଡୋଜ୍‌ ନେବାପରେ ସମସ୍ତଙ୍କୁ ଡର ଥିଲା ଯେ, ଏହାର ପରିଣାମ କ’ଣ ହେବ ? ହେଲେ ନା ତାଙ୍କୁ ଜ୍ୱର ଆସିଥିଲା ନା ସେ କୌଣସି ଯନ୍ତ୍ରଣା ଅନୁଭବ କରିଥିଲେ। କିନ୍ତୁ ଘଟଣାକୁ ନେଇ ଯୁବତୀ ଜଣକ ଡରି ଯାଇଥିଲେ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, Pfizer ଟିକାର ୪ ଡୋଜ୍‌ କେହିବି ସହ୍ୟ କରିପାରିବେ ବୋଲି ଏକ ଷ୍ଟଡିରୁ ଜଣାପଡ଼ିଛି। ହେଲେ ଇଟାଲୀର ଏହି ଯୁବତୀଙ୍କୁ ୬ ଡୋଜ୍‌ ଦିଆଯିବାକୁ ନେଇ ସମସ୍ତେ ଚିନ୍ତିତ ଥିଲେ।

You might also like