କୁମାରସ୍ୱାମୀଙ୍କ ଆକାଉଣ୍ଟାଣ୍ଟ ଅଫିସ ଉପରେ ଆୟକର ଚଢ଼ଉ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଏଚ୍‌ ବି ସୁନୀଲ ଏଣ୍ଡ କୋ ଅଫିସ ଉପରେ ଆୟକର ବିଭାଗ ଚଢ଼ଉ କରିଛନ୍ତି। ସୁନୀଲଙ୍କ ଅଫିସ ଓ ଘର ଉପରେ ଏହା ଦ୍ୱିତୀୟ ଥର ଚଢ଼ଉ ।

ଏହା ପୂର୍ବରୁ ଗତ ମେ ମାସରେ ବିଧାନସଭା ନିର୍ବାଚନ ବେଳେ ଆୟକର ବିଭାଗ ଚଢ଼ଉ କରିଥିଲା। ସୁନୀଲ ହେଉଛନ୍ତି କୁମାରସ୍ୱାମୀଙ୍କ ଜଣେ ଘନିଷ୍ଠ ସହଯୋଗୀ। କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ନିବେଶ ଓ ବ୍ୟାବସାୟିକ ନିବେଶର ହିସାବ କିତାବ ସୁନୀଲ ରଖନ୍ତି । ଏହା ଛଡ଼ା କୁମାରସ୍ୱାମୀଙ୍କ ପତ୍ନୀ ଅନିତା କୁମାରସ୍ୱାମୀ ଓ ପୁଅ ନିଖିଲଙ୍କ ବ୍ୟବସାୟର ଅଡ଼ିଟ୍‌ ମଧ୍ୟ ସୁନୀଲଙ୍କ ଫାର୍ମ କରେ ବୋଲି ଜଣାପଡ଼ିଛି। ଅନିତା କୁମାରସ୍ୱାମୀଙ୍କ କସ୍ତୁରୀ ଚ୍ୟାନେଲ୍‌ ନାମରେ ଏକ ୨୪ ଘଣ୍ଟିଆ ଇନ୍‌ଫୋଟେନ୍‌ମେଣ୍ଟ୍‌ ଚ୍ୟାନେଲ୍‌ ରହିଛି।

ତେବେ ଏହି ଚଢ଼ଉ ରାଜନୈତିକ ଅଭିସନ୍ଧିମୂଳକ ବୋଲି ସୁନୀଲ ଅଭିଯୋଗ କରିଛନ୍ତି। ମହାଗଠବନ୍ଧନକୁ ଟାର୍ଗେଟ୍‌ କରି ଏହି ଚଢ଼ଉ ହୋଇଥିବା କୁହାଯାଉଛି।

You might also like