ଅନ୍ତରୀକ୍ଷରେ ଆଉ ଏକ ଇତିହାସ ଅପେକ୍ଷାରେ ଭାରତ

ଶ୍ରୀହରୀକୋଟା: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସରି ସରି ଆସୁଛି କାଉଣ୍ଟ ଡାଉନ୍। ଲଞ୍ଚ୍ ପ୍ୟାଡ୍‌ରେ ଅପେକ୍ଷା କରିଛି ୧୫ ମହଲା ଉଚ୍ଚ ତଥା ୬୪୦ ଟନ୍ ଓଜନର ମହାଶକ୍ତିଶାଳୀ ରକେଟ୍ ବାହୁବଳୀ। କେବଳ ଅପେକ୍ଷା ସେଇ ଐତିହାସିକ ମୁହୂର୍ତ୍ତକୁ ଯେତେବେଳେ ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ଜହ୍ନକୁ ଯାତ୍ରା ଆରମ୍ଭ କରିବ ଭାରତ।

ବହୁ ପ୍ରତିକ୍ଷୀତ ମିଶନ୍ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ପୂରା ପ୍ରସ୍ତୁତ ଥିବା ବେଳେ, ଆଜି ରାତି ୨ଟା ୫୧ରେ ରହିଛି ଲଞ୍ଚ୍ ଓ୍ୱିଣ୍ଡୋ। ଠିକ୍ ଏହି ସମୟରେ, ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଚନ୍ଦ୍ରଯାନ-୨କୁ ନେଇ ମହାକାଶ ଅଭିମୁଖେ ଯାତ୍ରା କରିବ ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲ୍‌ଭି ମାର୍କ ଥ୍ରୀ ବା ବାହୁବଳୀ।

ଆଜି ସକାଳ ୬ ଟା ୫୧ରୁ ଆରମ୍ଭ ହୋଇଥିବା ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଯେତେ ସରିସରି ଆସୁଛି, ସେତେ ତୀବ୍ର ହେବାରେ ଲାଗିଛି ସାରା ଦେଶର ହୃଦ୍‌ସ୍ପନ୍ଦନ।ଉତ୍‌କ୍ଷେପଣର ୧୫ ମିନିଟ୍ ପରେ ରକେଟ୍‌ରୁ ଅଲଗା ହୋଇ ଚନ୍ଦ୍ରଯାନ ନିଜ ପ୍ରାଥମିକ କକ୍ଷ ପଥରେ ଅବସ୍ଥାପିତ ହେବ। ଏବଂ ଆଗାମୀ ୧୬ ଦିନ ଭିତରେ ପୃଥିବୀ ଚାରିପଟେ ୫ଥର ବୁଲିବ।

ଏହା ପରେ ଚନ୍ଦ୍ର ଆଡ଼କୁ ପ୍ରାୟ ୩ ଲକ୍ଷ ୮୫ ହଜାର କିଲୋମିଟର ପଥ ଯାତ୍ରା କରିବ। ଏହି ମକାଶଯାନ ଚନ୍ଦ୍ର ନିକଟରେ ପହଞ୍ଚି ତାହାକୁ ୪ ଥର ପରିକ୍ରମା କରିବା ପରେ ଲ୍ୟାଣ୍ଡର୍ ବିକ୍ରମ ଅର୍ବିଟର୍ରୁ ଅଲଗା ହୋଇଯିବ।

ଯୋଜନା ମୁତାବକ ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର୍। ସଫ୍ଟ ଲ୍ୟାଣ୍ଡ୍ ବେଳର ସେହି ୧୫ ମିନିଟ୍ ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ଲ୍ୟାଣ୍ଡର ସୁରକ୍ଷିତ ଭାବେ ଓହ୍ଲାଇବା ପରେ ତା ଭିତରୁ ରୋଭର୍ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ, ଏବଂ ଫଟୋ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିବ।

ତେବେ ଏହି ମିଶନରେ ଓଡ଼ିଶାର ବି ରହିଛି ବଡ଼ ଭୂମିକା। ରୋଭର୍ ପ୍ରଜ୍ଞାନର ଲିମ୍ବ୍ ସହ ବାହୁବଳୀ ରକେଟ୍‌ର ବହୁ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର୍ ବା CTTCରେ।

ପୂର୍ବରୁ ଭାରତର ଚନ୍ଦ୍ରଯାନ-୧ ଓ ମଙ୍ଗଳଯାନ ମିଶନ ସଫଳ ହୋଇଥିଲେ ବି, ଚନ୍ଦ୍ରଯାନ-୨ ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍। ଏହା ସଫଳ ହେଲେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶଯାନ ଅବତରଣ କରିବ। ହଲିଉଡ୍ ଫିଲ୍ମ ଆଭେଞ୍ଜର୍ସ୍ ଏଣ୍ଡ୍ ଗେମ୍ ପାଇଁ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ଅଧାଠୁ ବି କମ୍ ଖର୍ଚ୍ଚ ଅର୍ଥାତ୍ ମାତ୍ର ୯୬୦ କୋଟି ଟଙ୍କାରେ ଚନ୍ଦ୍ରଯାନ-୨ ଅଭିଯାନ ସମ୍ପୂର୍ଣ୍ଣ ହେବା ଚର୍ଚ୍ଚା ସୃଷ୍ଟି କରିଛି।

 

You might also like