ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା

PSLV C-43 ନିର୍ଦ୍ଦିଷ୍ଟ ସମୟରେ କକ୍ଷପଥରେ ସଫଳ ଅବସ୍ଥାନ

ଶ୍ରୀହରିକୋଟା: ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ଅତ୍ୟାଧୁନିକ ମହାକାଶ ଯାନ PSLV C-43  ଉତ୍‌କ୍ଷେପଣ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ କିର୍ତ୍ତୀ ସ୍ଥାପନ କରିଛି।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା ସଂସ୍ଥାରୁ ସକାଳ ୯ଟା ୫୮ରେ ଉତ୍‌କ୍ଷେପଣ ହୋଇଥିବା PSLV C-43 ନିର୍ଦ୍ଦିଷ୍ଟ ସମୟରେ କକ୍ଷପଥରେ ଅବସ୍ଥାନ କରିଛି।

ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ହାଇପର୍‌ ସ୍ପେଶାଲ୍ ଇମେଜିଂ ସାଟେଲାଇଟ୍ ସହ ୮ଟି ଦେଶର ୩୦ଟି ଉପଗ୍ରହ ନେଇ ମହାକାଶରେ ପହଞ୍ଚିଛି।

ବିଶେଷ କରି ଆମେରିକାର ୨୩ଟି, ଅଷ୍ଟ୍ରେଲିଆ, କାନାଡ଼ା, କଲମ୍ବିଆ, ଫିନ୍‌ଲ୍ୟାଣ୍ଡ, ମ୍ୟାଲେସିଆ, ନେଦରଲ୍ୟାଣ୍ଡ ଏବଂ ସ୍ପେନ୍‌ର ଗୋଟିଏ ଲେଖାଏ ଉପଗ୍ରହ ଧରି ପିଏସ୍‌ଏଲ୍‌ଭି ମହାକାଶର କକ୍ଷ ପଥରେ ଅବସ୍ଥାନ କରାଇବାରେ ସଫଳ ହୋଇଛି।

ବିଦେଶୀ ଉପଗ୍ରହଗୁଡ଼ିକୁ ୫୦୪ କିଲୋମିଟର କକ୍ଷପଥରେ ଅବସ୍ଥାପନ କରିଛି। ପିଏସ୍ଏଲ୍‌ଭି ସଫଳତା ପାଇଁ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ସମସ୍ତ ବୈଜ୍ଞାନିକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭୂ ପୃଷ୍ଠର ଅତି ସୂକ୍ଷ୍ମ ଚିତ୍ର ସଂଗ୍ରହ କରିବାରେ ସାହାଯ୍ୟ କରିବ ହାଇସିସ୍ ଉପଗ୍ରହ। ବିଶେଷ କରି କେଉଁ ସ୍ଥାନରେ କେଉଁ ଖଣିଜ ପଦାର୍ଥ ରହିଛି, ତୈଳ ଭଣ୍ଡାର ଓ ସୁନା ଖଣି ରହିଛି, ତାହା ନିରୂପଣ କରିବାରେ ସହଯୋଗ କରିବ।

ଭାରତୀୟ ବୈଜ୍ଞାନିକମାନେ ନିଜ ଉଦ୍ୟମରେ ନିର୍ମାଣ କରିଥିବା ଉପଗ୍ରହ ଏବେ ଦେଶର ପ୍ରଗତିରେ ଖୁବ୍ ସହାୟକ ହେବ ବୋଲି ଆଶା କରାଯାଉଛି।

ଉପଗ୍ରହରେ ବ୍ୟବହୃତ ଅପଟିକାଲ୍ ଡିଟେର୍ ଚିପ୍ ଦ୍ୱାରା ଭୂ ପୃଷ୍ଠରୁ ୬୩୦ କିଲୋମିଟର୍‌ ମଧ୍ୟରେ ଥିବା ସମସ୍ତ କଲର ବ୍ୟାଣ୍ଡର ଚିତ୍ର ସଂଗ୍ରହ କରିପାରିବ। ଏଥିସହିତ ପରିବେଶ ଉପରେ ମଧ୍ୟ ଏହାର ନଜର ରହିବ। ବାୟୁ ପ୍ରଦୂଷଣ ସଂପର୍କରେ ସୂଚନା ଦେବାରେ ସହାୟକ ହେବ ଏହି ଉପଗ୍ରହ।

ଇସ୍ରୋର ବିକଶିତ HysIS ଉପଗ୍ରହ ବା ହାଇପର୍‌ ସ୍ପେକ୍ଟ୍ରାଲ୍‌ ଇମାଜିଙ୍ଗ୍ ସାଟେଲାଇଟ ଆଗାମୀ ୫ ବର୍ଷ ଯାଏ ସେବା ଯୋଗାଇବ। ବିଶ୍ୱର ଖୁବ୍‌ କମ୍ ଦେଶ ଏଭଳି ଉପଗ୍ରହ ତିଆରି କରିବାରେ ସକ୍ଷମ ହୋଇଥିବା ବେଳେ ଭାରତ ଏଥିରେ ସଫଳ ହୋଇଛି।

ବଡ଼କଥା ହେଉଛି, ଦେଶର ପରିବେଶ, ଖଣିଜ ସମ୍ବଳ ଉପରେ ନଜର ରଖିବା ଭଳି ସାଟେଲାଇଟ୍ ଥିବା ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ ହୋଇପାରିଛି।

 

You might also like