ଆଇଏସ୍ଆଇଏସ୍ ମୁଖ୍ୟ ବାଗ୍ଦାଦି ନିହତ !
ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ-ବାଗଦାଦି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆମେରିକା ସେନାର ଘନ ଘନ ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଆତ୍ମହତ୍ୟା କରିଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡ଼ିଛି।
ଅବଶ୍ୟ କିଛି ମିଡିଆ ରିପୋର୍ଟ କହିବା ଅନୁଯାୟୀ ସେ ଆମେରିକା ସେନାର ଏକ ସିକ୍ରେଟ୍ ମିଶନ୍ରେ ନିହତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କରିଥିବା ଏକ ଟ୍ୱିଟ୍ ଏମିତି କିଛି ଘଟିଥିବାର ସଙ୍କେତ ଦେଇଛି। ଯଦିଓ ସେ ବାଗଦାଦିର ମୃତ୍ୟୁ ନେଇ କିଛି ଲେଖି ନାହାନ୍ତି, ତେବେ ସେ ଯାହା ଲେଖିଛନ୍ତି, ସେଥିରୁ ଆକଳନ କରାଯାଉଛି ଯେ ବାଗଦାଦିର ମୃତ୍ୟୁ ଖବର ସତ ହୋଇପାରେ।
Something very big has just happened!
— Donald J. Trump (@realDonaldTrump) October 27, 2019
୨୦୧୪ରେ ସିରିଆର ଏକ ମସଜିଦର ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ବାଗଦାଦିକୁ ଦେଖିବାକୁ ମିଳିଥିଲା। ଏହାପରେ ତାକୁ ଖୋଜିବା ପାଇଁ ସିରିଆରେ ଆମେରିକା ସେନାକୁ ମୁତୟନ କରିଛି। ଅବଶ୍ୟ ଏହା ପୂର୍ବରୁ ଅନେକ ଥର ବାଗଦାଦିର ମୃତ୍ୟୁ ଖବର ଆସିଛି। କିନ୍ତୁ ପରେ ସେଗୁଡ଼ିକ ଗୁଜବ ବୋଲି ଜଣାପଡ଼ିଛି। ତେବେ ଏଥର ତା’ର ମୃତ୍ୟୁ ଖବର ସତ ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଆଜି ନିଜେ ଏହି ଘୋଷଣା କରିବେ। ସେ କରିଥିବା ଟ୍ୱିଟ୍ ସଂପର୍କରେ ବିସ୍ତାରିତ ଭାବେ କହିବେ। ଆମେରିକାର ବିଭିନ୍ନ ଗଣମାଧ୍ୟମ ଏ କଥା ଲେଖିଛନ୍ତି।