କରୋନାଠୁ ବି ଅଧିକ ଜୀବନ ନେଉଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: କରୋନା ନାଁ ଶୁଣିଲେ ସାଧାରଣତଃ ସମସ୍ତଙ୍କ ମନରେ ଛନକା ପଶିଯାଏ। ଏହି ଭୟଙ୍କର ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି। ତେଣୁ ଏହି ଭୂତାଣୁକୁ ଡରିବା ସ୍ୱାଭାବିକ । ତେବେ ଜାତୀୟ ଗଣମାଧ୍ୟମରୁ ଯେଉଁ ସୂଚନା ମିଳିଛି ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କରୋନା ମହାମାରୀ ଅପେକ୍ଷା ଭାରତୀୟଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ଘାତକ ସାବ୍ୟସ୍ତ ହୋଇଛି। ୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

୨୦୨୦ରେ କୋଭିଡ୍‌ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାଠାରୁ ଅନେକ ଗୁଣରେ ଅଧିକ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ବାୟୁ ପ୍ରଦୂଷଣ ଯୋଗୁଁ ହୋଇଥିବା ମୃତ୍ୟୁରୁ ୩୨.୫ ପ୍ରତିଶତ ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ହୋଇଥିବା ବେଳେ, ହୃଦ୍‌ରୋଗଜନିତ ମୃତ୍ୟୁ ୨୯.୨ ପ୍ରତିଶତ, ହୃଦ୍‌ଘାତ ମୃତ୍ୟୁ ୧୬.୨ ପ୍ରତିଶତ ଏବଂ ଶ୍ୱାସକ୍ରିୟାରେ ସଂକ୍ରମଣ ଯୋଗୁଁ ୧୧.୨ ପ୍ରତିଶତ ମୃତ୍ୟୁ ହୋଇଛି।

ମୋଟ ଉପରେ କହିବାକୁ ଗଲେ, ଦେଶର କିଛି ରାଜ୍ୟରେ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର ହୋଇଛି।ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ୩,୪୯,୯୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧,୩୯,୧୧୮, ବିହାରରେ ୧,୨୬,୪୬୦, ପଶ୍ଚିମବଙ୍ଗରେ ୧,୨୨,୮୩୩, ରାଜସ୍ଥାନରେ ୧,୧୩,୩୬୧ ଜଣଙ୍କ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ ବରଂ ଭାରତର ସମସ୍ତ ରାଜ୍ୟରେ ବାୟୁ ପ୍ରଦୂଷଣ ଯୋଗୁଁ ଏହାର କୁପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି। ଦେଶରେ ବହୁ ସଂଖ୍ୟାରେ ଧୂମପାନ କରୁନଥିବା ଲୋକେ ମଧ୍ୟ ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହେଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।

ଗୋଟିଏ ପଟେ, କରୋନା ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ ବାୟୁ ପ୍ରଦୂଷଣର ମାତ୍ରା ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି। କରୋନା ଟିକା ଇତି ମଧ୍ୟରେ ଆସିଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣକୁ ଅଟକାଇବାକୁ ପ୍ରୟାସ ଚାଲିଛି। କିନ୍ତୁ ସେମିତି କିଛି ବିଶେଷ ପରିବର୍ତ୍ତନ ହୋଇନାହିଁ। ମୋଟ ଉପରେ କହିବାକୁ ଗଲେ,ଯଦି ଆଗାମୀ ଦିନରେ ବାୟୁ ପ୍ରଦୂଷଣକୁ ଆମେ ନ ଅଟକାଇବା ତେବେ ସ୍ଥିତି ଭୟଙ୍କର ତ ହେବ, ଅକାରଣକରେ କେତେ ଯେ ଜୀବନ ଦୀପ ଲିଭିଯିବ ସେନେଇ ବର୍ତ୍ତମାନ ସମୟରେ କିଛି ସ୍ପଷ୍ଟ ସୂଚନା ଦିଆଯାଇପାରିବ ନାହିଁ। କେବଳ ସଚେତନତା ହେବା ସହ ବାୟୁପ୍ରଦୂଷଣକୁ ରୋକିବା ଆମର ମୂଳ ଲକ୍ଷ୍ୟ ହେବାର ଆବଶ୍ୟକତା ରହିଛି।
You might also like