ଦିନକରେ ଆମେରିକାର ମୃତ୍ୟୁସଂଖ୍ୟା ୨ ହଜାର ଟପିଲା

ନ୍ୟୁୟର୍କ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୦ ହଜାର ପାଖାପାଖି ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶେଷ କରି ଆମେରିକା, ସ୍ପେନ, ଇଟାଲୀ ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ଆମେରିକାରେ ୫ ଲକ୍ଷ ୩୩ ହଜାର ୧୧୫ ଜଣଙ୍କ ସଂକ୍ରମିତଙ୍କ ମଧ୍ୟରୁ ୨୦ ହଜାରକୁ ଟପି ୨୦ ହଜାର ୫୮୦କୁ ଛୁଇଁଛି ମୃତ୍ୟୁ ସଂଖ୍ୟା। ସେହିପରି ସୁସ୍ଥ ହୋଇଛନ୍ତି ୩୦ ହଜାର ୫୦୨ ଜଣ। ସ୍ପେନ୍‌ରେ ମୋଟ ସଂକ୍ରମିତ ୧ ଲକ୍ଷ ୬୬ ହଜାର ୧୯ ଜଣଙ୍କ ମଧ୍ୟରୁ ୧୬ ହଜାର ୯୭୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬୨ ହଜାର ୩୯୧ ଜଣ ରୋଗୀ।

କରୋନା ସଂକ୍ରମଣ ଭୟାବହତା ଦୃଷ୍ଟିରୁ ବିଶ୍ୱର ତୃତୀୟ ସ୍ଥାନରେ ଥିବା ଇଟାଲୀରେ ୧ ଲକ୍ଷ ୫୨ ହଜାର ୨୭୧ ସଂକ୍ରମିତଙ୍କ ମଧ୍ୟରୁ ୧୯ ହଜାର ୪୬୮ ରୋଗୀଙ୍କ ମୃତ୍ୟୁ ହୋଇଛି। ସୁସ୍ଥ ହୋଇଛନ୍ତି ୩୨ ହଜାର ୫୩୪ ଜଣ।

ସେହିପରି ଫ୍ରାନ୍ସରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୯ ହଜାର ୬୫୪ରେ ପହଞ୍ଚିଛି। ଏଠାରେ ୧୩ ହଜାର ୮୩୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆରୋଗ୍ୟ ଲାଭ କରିଛନ୍ତି ୨୬ ହଜାର ୩୯୧ ଜଣ ରୋଗୀ। ବ୍ରିଟେନରେ ମଧ୍ୟ କରୋନା ଭାଇରସ ୧୦ ହଜାରରୁ ଅଧିକ ମୁଣ୍ଡ ନେଲାଣି।

ତେବେ ଆଶ୍ୱସ୍ତିର ଖବର ହେଉଛି କରୋନା ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପ୍ରାୟ ୧୦ ଦିନ ସେ ଲଣ୍ଡନର ସେଣ୍ଟ ଥମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡିସଚାର୍ଜ  ପୂର୍ବରୁ ୩ ଦିନ ICUରେ ତାଙ୍କ ଚିକିତ୍ସା ଚାଲିଥିଲା।

You might also like