୧୫ ଜୁଲାଇ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ରେଲୱେ ପରେ ଅନ୍ତର୍ଜାତୀୟ ବିମାନ ସେବାକୁ ନେଇ ସରକାରଙ୍କ ତରଫରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଭାରତ ପକ୍ଷରୁ ଏବଂ ଭାରତ ପାଇଁ ଅନ୍ତର୍ଜାତୀୟ କର୍ମଶାଳା ଫ୍ଲାଇଟ୍ ସେବା ଉପରେ କଟକଣା ପୂର୍ବଭଳି ବଳବତ୍ତର ରହିବ। ତେବେ ଏହା ମଧ୍ୟରେ ଘରୋଇ ବିମାନ ସେବା ଜାରି ରହିବ। ତେବେ ଏହି ନିର୍ଦ୍ଦେଶ କେବଳ କାର୍ଗୋ ବିମାନ ଓ ଡିଜିସିଏ ଦ୍ୱାରା ଅନୁମୋଦିତ ସ୍ପେଶାଲ୍ ବିମାନ ଉପରେ ଲାଗୁ ହେବ ନାହିଁ।

କରୋନା ଯୋଗୁ ପୂରା ଦେଶରେ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ୍ ଲାଗୁ କରାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ଅନ୍ତର୍ଜାତୀୟ ବିମାନ ଉପରେ କଟକଣା ଲଗାଯାଇଥିଲା, ଯାହାକି କେବଳ ସପ୍ତାହକ ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ପରେ କରୋନା ମହାମାରୀ ଅଧିକ ବ୍ୟାପୁଥିବାର ଦେଖି କେନ୍ଦ୍ର ସରକାର ଲକଡାଉନକୁ ନିୟମିତ ବ୍ୟବଧାନରେ ବଢ଼ାଇଥିଲେ। ଯାହାର ପ୍ରଭାବରେ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହା ପୂର୍ବରୁ ଦେଶରେ ରେଳ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ହୋଇପାରିବ ନାହିଁ ବୋଲି ଗୁରୁବାର ରେଲୱେ ପକ୍ଷରୁ କୁହାଯାଇଥିଲା। ତେବେ ଏହା ମଧ୍ୟରେ କେବଳ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଜାରି ରହିବ। ତେବେ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟ୍ ବାବଦ ଅର୍ଥ ଫେରାଇ ଦିଆଯିବା ବୋଲି ରେଲୱେ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଭାରତରେ କରୋନା ମହାମାରୀ ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପୂରା ଦେଶରେ ଏପର୍ଯ୍ୟନ୍ତ ୧୫ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଛନ୍ତି। ସେହିପରି ପାଖାପାଖି ୫ଲକ୍ଷରୁ ଅଧିଖ ଲୋକେ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like