ବ୍ୟାଙ୍କ୍‌ ବୁଡ଼ିଲେ ବି ମିଳିବ ଟଙ୍କା, ବଜେଟ୍‌ରେ ହେଲା ଏମିତି ଘୋଷଣା..

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ରେ ସୁଧାର ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବ ଏଣ୍ଡ୍‌ ମହାରାଷ୍ଟ୍ର ବ୍ୟାଙ୍କ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ବ୍ୟାଙ୍କ୍‌ ଠକେଇକୁ ନେଇ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ଯଦି କୌଣସି ବ୍ୟାଙ୍କ୍‌ ଆର୍ଥିକ ସଂକଟରେ ପଡ଼ିଯାଏ, ତେବେ ସମ୍ପୃକ୍ତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ବ୍ୟାଙ୍କ୍‌ ଜମାକାରୀଙ୍କ ଆକାଉଣ୍ଟ୍‌କୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ଏକ ଘୋଷଣା କରିଛନ୍ତି।

ପୂର୍ବରୁ ବ୍ୟାଙ୍କ୍‌ ଜମାକାରୀଙ୍କ ଆକାଉଣ୍ଟ୍‌ ସୁରକ୍ଷା ପାଇଁ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ(ବୀମା ପରିମାଣ)୧ ଲକ୍ଷ ଟଙ୍କା ଥିଲା। ତେବେ ଆଜି ବଜେଟ୍‌ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି।

ବର୍ତ୍ତମାନ ଯାଏ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନିୟମ ରହିଛି ଯଦି କୌଣସି ବ୍ୟାଙ୍କ ଚାଲିବାରେ ବିଫଳ ହୁଏ ତେବେ ପ୍ରତି ଜମାକାରୀଙ୍କ ମୂଳଧନ ଏବଂ ସୁଧ ୧ ଲକ୍ଷ ଟଙ୍କା ମୂଲ୍ୟର ବୀମାଭୁକ୍ତ ହେବ। ୧୯୯୩ ମସିହାରେ ୩୦ ହଜାର ଟଙ୍କାରୁ ଏହାକୁ ୧ ଲକ୍ଷ ଟଙ୍କା କରାଯାଇଥିଲା।

ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଏଣ୍ଡ୍‌ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌(DICGC) ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ, ଏଣିକି ବ୍ୟାଙ୍କ୍‌ ଜମାକାରୀଙ୍କୁ ୫ ଲକ୍ଷ ଟଙ୍କାର ସୁରକ୍ଷା ଗ୍ୟାରେଣ୍ଟି ମିଳିବ। ବ୍ୟାଙ୍କ୍‌ର ସମସ୍ତ ଶାଖାରେ ଏହି ନିୟମ ଲାଗୁ ହେବ। ଏଥିରେ ମୂଳଧନ ଓ ସୁଧ ଉଭୟ ସାମିଲ ହେବ। ଅର୍ଥାତ୍‌ ଉଭୟ ମିଶି ଯଦି ୫ ଲକ୍ଷ ଟଙ୍କାରୁ ଅଧିକ ହେବ, ତା’ହେଲେ ୫ ଲକ୍ଷ ଟଙ୍କାର ଅର୍ଥରାଶିକୁ ସୁରକ୍ଷିତ ବୋଲି ବିଚାର କରାଯିବ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ବ୍ୟାଙ୍କ ଜମା ଉପରେ ଲାଗୁ ହେଉଥିବା ବୀମା ବ୍ୟାଙ୍କର ବିଫଳତା ସମୟରେ ସୁରକ୍ଷା ଦେଇଥାଏ। ଯଦି ଆର୍ଥିକ ପରିଚାଳନାରେ ତ୍ରୁଟି ବା ଅନ୍ୟ କାରଣରୁ ବ୍ୟାଙ୍କ ବନ୍ଦ ହୋଇଯାଏ ତେବେ ସେହି ସମୟରେ ଟଙ୍କା ଫେରିପାଇବା ଅସମ୍ଭବ ହୋଇପଡ଼େ। ସେତେବେଳେ ଏହି ବୀମା ରାଶି ମିଳିଥାଏ।

You might also like