ଡେଟିଂ ସାଇଟ୍ରେ ଚିଟିଂ, ଫସିଲେ ‘କବୀର ସିଂ’
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କ ଅଭିନୀତ ଫିଲ୍ମ ‘କବୀର ସିଂ’ରୁ ଅନୁପ୍ରାଣିତ ହୋଇ ବ୍ଲାକ୍ମେଲର୍ ସାଜିଲେ ୩୧ ବର୍ଷୀୟ ଯୁବକ। ନିଜକୁ ମିଛରେ orthopaedic ସର୍ଜନ କହି ଏକ ଡେଟିଂ ୱେବ୍ସାଇଟ୍ରେ ଯୁବତୀଙ୍କୁ ପ୍ରଲୋଭନ ଓ ପରେ ବ୍ଲାକ୍ମେଲିଂ କରିବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଆନନ୍ଦ କୁମାର। ଏହି ଘଟଣାରେ ପୁଲିସ୍ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ଜଣେ ମହିଳା ଡାକ୍ତରଙ୍କ ଅଭିଯୋଗ କ୍ରମେ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ଆନନ୍ଦ, ଏକ ଡେଟିଂ ୱେବ୍ସାଇଟ୍ରେ ଡଃ ରୋହିତ୍ ଗୁଜ୍ରାଲ୍ ନାଁରେ ଏକ ଫେକ୍ ପ୍ରୋଫାଇଲ୍ କରି ସମ୍ପୃକ୍ତ ମହିଳା ଡାକ୍ତରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ସେ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରେ ଆନନ୍ଦ, ଉକ୍ତ ଯୁବତୀଙ୍କୁ ବ୍ଲାକ୍ମେଲିଂ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ସବୁ ଭାଇରାଲ୍ କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ଆନନ୍ଦ। ଯାହାକୁ ନେଇ ଯୁବତୀ ଜଣକ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ।
ଆନନ୍ଦଙ୍କର ଏକ ଇଭେଣ୍ଟ୍ ମ୍ୟାନେଜ୍ମେଣ୍ଟ୍ କମ୍ପାନୀ ଅଛି। ମଡେଲିଂ ଓ ଅଭିନୟ ପାଇଁ ଇଚ୍ଛୁକ ଥିବା ଅନେକ ଯୁବକ, ଯୁବତୀଙ୍କ ସହ ତାଙ୍କର ଯୋଗାଯୋଗ ଥିଲା। ସେହି ଯୁବକମାନଙ୍କର ଫଟୋ ବ୍ୟବହାର କରି ଆନନ୍ଦ, ଡଃ ରୋହିତ ଗୁଜ୍ରାଲ୍ ନାଁରେ ଅନେକ ଡେଟିଂ ଆପ୍ରେ ଫେକ୍ ପ୍ରୋଫାଇଲ୍ କରି ମହିଳାଙ୍କ ସହ କଥା ହୋଇଥାନ୍ତି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ‘କବୀର ସିଂ’ ଫିଲ୍ମରେ ଅଭିନେତା ଶାହିଦ୍ orthopaedic ସର୍ଜନ ଭୂମିକାରେ ଅଭିନୟ କରିଥିଲେ। ପୁଲିସ୍ର ଜେରା ବେଳେ ଆନନ୍ଦ କହିଥିଲେ ଯେ, ତାଙ୍କ ମୁଣ୍ଡରେ ଏସବୁ ବୁଦ୍ଧି କବୀର ସିଂ ଫିଲ୍ମ ଦେଖିବାପରେ ହିଁ ଆସିଥିଲା।
ପୁଲିସ୍ର କହିବା ଅନୁସାରେ, ପ୍ରଥମେ ସେ(ଆନନ୍ଦ) ଯୁବତୀଙ୍କ ସହ ଫୋନ୍ ନମ୍ବର ଆଦାନପ୍ରଦାନ କରି କଥାବାର୍ତ୍ତା ଆରମ୍ଭ କରିଥାନ୍ତି। ଏହାପରେ ମା’ଙ୍କ ଚିକତ୍ସା ବାହାନା ଦେଖାଇ ଯୁବତୀମାନଙ୍କ ଫୋନ୍ କଲ୍ ଆଉ ଉଠାନ୍ତିନି। ଧୀରେ ଧରେ ଯୁବତୀମାନଙ୍କୁ ମନାଇ ଓ ପରିସ୍ଥିତି ବିଷୟରେ କହି ତାଙ୍କୁ ବିବାହ କରିବା ପାଇଁ କହିଥାନ୍ତି। ଫଳରେ ଯେମିତି କେହି ବି ତାଙ୍କ ଉପରେ ଆଉ ସନ୍ଦେହ କରିବେ ନାହିଁ।
ହେଲେ ତାଙ୍କର ଏହି ଚାଲାକି ବେଶୀ ଦିନ କାମ କରିପାରିନଥିଲା। ପୁଲିସ୍ ଆନନ୍ଦଙ୍କ ଆଇଡିକୁ ଟ୍ରେସ୍ କରି ଲାଜପତ ନଗରରୁ ତାଙ୍କୁ ଗିରଫ କରିଥିଲେ। ଆନନ୍ଦଙ୍କୁ ଏସବୁ କାମରେ ସାହାଯ୍ୟ କରୁଥିବା ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି।