ହ୍ୱାଇଟ ହାଉସ ଛାଡ଼ିଲେ ଏଇ ଆଲିଶାନ କ୍ଲବରେ ରହିବେ ଟ୍ରମ୍ପ ! ହେଲେ ବିରୋଧ କରୁଛନ୍ତି ପଡୋଶୀ

ୱାଶିଂଟନ: ଏକ ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ।  ଏହା ସହ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସକୁ ବିଦାୟ ଦେବାକୁ ପଡିବ। ଯଦିଓ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବିଷୟରେ ଖୋଲାଖୋଲି ଭାବେ କିଛି କହୁ ନାହାଁନ୍ତି, ତେବେ ଅନୁମାନ କରାଯାଉଛି,  ରାଷ୍ଟାପତି ଭବନ ଛାଡିବା ପରେ ସେ ଫ୍ଲୋରିଡାର ପାଲମ ବିଚରେ ଥିବା ମାର-ଏ-ଲାଗୋ କ୍ଲବକୁ ଯାଇପାରନ୍ତି। ତେବେ ଟ୍ରମ୍ପଙ୍କ ପଡ଼ୋଶୀମାନେ ତାଙ୍କୁ ମନେ ପକାଇ ଦେଇଛନ୍ତି ଯେ ଟ୍ରମ୍ପଙ୍କୁ ଏଠାରେ ରହିବା ପାଇଁ ଅନୁମତି ଦିଆଯାଇ ନାହିଁ।

ଆମେରିକାରେ ଟ୍ରମ୍ପଙ୍କର ଅମାପ ସମ୍ପତ୍ତି ରହିଛି। ସେଥିପାଇଁ ସେ ହ୍ୱାଇଟ ହାଉସ ଛାଡିବା ପରେ କେଉଁଆଡେ ଯିବେ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି । ତେବେ ସେ ଫ୍ଲୋରିଡାର ଗୋଲ୍‌ଡ କ୍ଲବରେ ରହିବାର ସମ୍ଭାବନା ବେଶି ରହିଛି | ୱାଶିଂଟନ୍ ପୋଷ୍ଟ ଖବର ଅନୁସାରେ,  ଟ୍ରମ୍ପ ଏଠାରେ ରହିବା ସହ  ଏହି ସ୍ଥାନକୁ ତାଙ୍କର ରାଜନୈତିକ ମୁଖ୍ୟାଳୟ କରିବା ପାଇଁ ଯୋଜନା କରୁଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ଫ୍ଲୋରିଡାର ପଡ଼ୋଶୀମାନେ ଏହାକୁ ବିରୋଧ କରୁଛନ୍ତି। ଫ୍ଲୋରିଡାର ମେର-ଏ-ଲେଗୋ ରିସର୍ଟ ନାମକ ଏହି ସମ୍ପତ୍ତି ଟ୍ରମ୍ପ ୧୯୮୫ରେ କିଣିଥିଲେ।  କିନ୍ତୁ ୧୯୯୩ରେ ଟ୍ରମ୍ପ ଫ୍ଲୋରିଡା ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିନାମା ଅନୁଯାୟୀ,  ମେର-ଇ-ଲେଗୋ ସର୍ବସାଧାରଣ ସମ୍ପତ୍ତି ହେବ ଯେଉଁଠାରେ ଲୋକମାନେ ସେମାନଙ୍କର ଭୋଜିଭାତ, ପାର୍ଟି ଆଦି କରିପାରିବେ।

 

ଚୁକ୍ତିନାମା ଅନୁଯାୟୀ, ଟ୍ରମ୍ପ ଏହି ଗଲ୍ଫ କ୍ଲବ ଆସିପାରିବେ  କିନ୍ତୁ  ବର୍ଷକରେ ତିନି ସପ୍ତାହରୁ ଅଧିକ ସମୟ ସେଠାରେ ରହିପାରିବ ନାହିଁ। ଟ୍ରମ୍ପ ଏହି ଚୁକ୍ତିନାମା ପାଇଁ ବିପୁଳ ପରିମାଣର ଟଙ୍କା ନେଇଥିଲେ। ବର୍ତ୍ତମାନ ଯଦି ଟ୍ରମ୍ପ ଏହି ସ୍ଥାନରେ ସ୍ଥାୟୀ ଭାବେ ରହିବେ ତେବେ ଏହା କ୍ଲବ ସଦସ୍ୟମାନଙ୍କ ପ୍ରାଇଭେସି ଭଙ୍ଗ ହେବ। ଏଥିପାଇଁ ହ୍ୱାଇଟ ହାଉସ ଛାଡ଼ିବା ପୂର୍ବରୁ କ୍ଲବର ଆଖପାଖରେ ଥିବା ଟ୍ରମ୍ପଙ୍କ ପଡ଼ୋଣୀ ଏହି ଏଗ୍ରିମେଣ୍ଟ ସମ୍ପର୍କରେ ଟ୍ରମ୍ପଙ୍କୁ ମନେ ପକାଇ ଦେଇଛନ୍ତି।

ତେବେ କ’ଣ ରହିଛି ଏହି କ୍ଲବର ବିଶେଷତା ? କାହିଁକି ଏଠାରେ ରହିବାକୁ ଚାହୁଁଛନ୍ତି ଟ୍ରମ୍ପ ?

ସମୁଦ୍ର କୂଳରେ ଥିବା ଏହି ରିସର୍ଟ ବହୁତ ସୁନ୍ଦର ଏବଂ ଆଲିଶାନ। ନିଜେ ଟ୍ରମ୍ପ ଏହାକୁ ଉଇଣ୍ଟର ହ୍ୱାଇଟ ହାଉସ୍‌ ବୋଲି କହନ୍ତି। କାରଣ ଶୀତ ଦିନରେ ଏଠାରେ ସୂର୍ଯ୍ୟ କିରଣ ବିଛାଡ଼ି ହୋଇ ପଡ଼ିଥାଏ। ରିସର୍ଟର ନାଁ ମେରେ-ଏ-ଲୋଗୋ ଏକ ସ୍ପେନିଶ ଶବ୍ଦ ଯାହାର ଅର୍ଥ ସମୁଦ୍ରରୁ ଝିଲ୍‌ ପର୍ଯ୍ୟନ୍ତ। ୨୦ ଏକର ଜମିରେ ଥିବା ଏହି କ୍ଲବରେ ରହିଛି ୧୨୮ ବଡ ବଡ ରୁମ୍‌।

୧୯୨୭ରେ ଏହାର ମୁଖ୍ୟ ବିଲ୍‌ଡିଂ ତିଆରି ହୋଇଥିଲା। ୧୯୮୫ରେ ଟ୍ରମ୍ପ ଏହାକୁ କିଣିଥିଲେ। ଟ୍ରମ୍ପ ଖାଲି ଏହି ବିଲ୍‌ଡିଂ କିଣି ନ ଥିଲେ, ଏଠାରେ ଥିବା ଆସବାବପତ୍ର ବି କିଣି ନେଇଥିଲେ। ସେ ସମୟରେ ଏହାର ମୂଲ୍ୟ ଥିଲା ୮ ମିଲିୟନ ଡଲାର। ତେବେ କୁହାଯାଉଛି, ଏହାର ପ୍ରକୃତ ମୂଲ୍ୟ ଏହାଠାରୁ ଯଥେଷ୍ଟ ଅଧିକ ହେବ।

ତେବେ ଏହି ହୋଟେଲ ଏବଂ ରିସର୍ଟର ମାଲିକ ଟ୍ରମ୍ପ ଏହାକୁ କ୍ଲବ କରିବାକୁ ଚାହିଁଲେ। ୧୯୯୫ରେ ଏହାକୁ କ୍ଲବ କରିବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହା ପରେ କେବଳ ଟ୍ରମ୍ପ ଏବଂ ତାଙ୍କ ସ୍ୱତନ୍ତ୍ର ଅତିଥିମାନେ ଏଠାରେ ପାର୍ଟି କରୁ ନ ଥିଲେ ବରଂ ଏହି କ୍ଲବର ଧନୀ ସଦସ୍ୟମାନେ ମଧ୍ୟ ଏଠାରେ ପାର୍ଟି କରୁଥିଲେ।

ଏହି କ୍ଲବର ସଦସ୍ୟତା ଫିସ ଲକ୍ଷ ନୁହେଁ, କୋଟି। ଏକ ରିପୋର୍ଟରୁ ଜଣାଯାଇଛି, ୯୦ ଦଶକରେ ଏହାର ସଦସ୍ୟତା ଫିସ୍‌ ଥିଲା ୫୦ ହଜାର ଡଲାର। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହାର ମୂଲ୍ୟ ଆହୁରି ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହାର ମୂଲ୍ୟ ୨ ଲକ୍ଷ ଡଲାର ରହିଛି।
ସଦସ୍ୟତା ଫିସ୍‌ ପରେ ବି ଆହୁରି ଅନେକ ଫିସ ରହିଛି। ଏହାକୁ ମିଶାଇଲେ ଜଣେ ସଦସ୍ୟଙ୍କୁ ବାର୍ଷିକ ୧୪ ହଜାର ଡଲାର ଦେବାକୁ ପଡ଼ିବ। ଏହାବ୍ୟତୀତ ଆପଣ ଏଠାରେ ଖାଆନ୍ତୁ ବା ନ ଖାଆନ୍ତୁ ଡାଇନିଂ ପାଇଁ ୨ ହଜାର ଡଲାର ଦେବାକୁ ପଡ଼ିବ। ସଦସ୍ୟମାନେ କ୍ଲବକୁ ଆସି ଏଠାରେ ଥିବା ପୁଲ୍‌, ଡାଇନିଂ ହଲ, ରୁମ୍‌ ବ୍ୟବହାର କରିପାରିବେ। ତେବେ ଏଠାରେ କୌଣସି ପାର୍ଟି କରିବାକୁ ଚାହିଁଲେ କ୍ଲବ ଭଡାରେ ନେଇ ପାରିବେ। ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏଠାରେ ଅନେକ ପାର୍ଟି ଏବଂ କ୍ୟାମ୍ପେନ କରିଛନ୍ତି। କ୍ରିସମାସ ଅବସରରେ ଟ୍ରମ୍ପ ଏଠିକାର ଲାଇବ୍ରେରୀରେ ବସି ନିଜ ପରିବାର ଏବଂ ବନ୍ଧୁଙ୍କୁ ଫୋନ କରନ୍ତି।

 

You might also like