ନୌସେନାରେ ସାମିଲ ହେଲା ନୂଆ ସଦସ୍ୟ ’ସାଇଲେଣ୍ଟ କିଲର’

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଶକ୍ତି ବୃଦ୍ଧି କରିବ INS କରଞ୍ଜ୍। ସାଇଲେଣ୍ଟ କିଲର ଭାବେ ଜଣାଶୁଣା ଏହି  ସ୍କର୍ପିନ କ୍ଲାସ ସବମରିନ ମୁମ୍ବାଇସ୍ଥିତ ନାଭାଲ ଡକୟାଡରେ ଜଳାବତରଣ କରିଛି। ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି ।

ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରଞ୍ଜର ଏହା ଦ୍ୱିତୀୟ ଶ୍ରେଣୀର ବୁଡାଜାହାଜ। ସ୍କର୍ପିନ ସବମରିନ୍ ରେଞ୍ଜର ଏହା ସବୁଠୁ ଉନ୍ନତ ଓ ଶକ୍ତିଶାଳୀ।  ଏହାର ବିଶେଷତ୍ୱ ହେଉଛି ଏହା ବିନା ଶବ୍ଦ କରି ଶତ୍ରୁ ପକ୍ଷକୁ ଯାଇ ହମଲା କରି ଫେରି ଆସିପାରିବ। ଏହା ଅଧିକ ସମୟ ଧରି ପାଣିରେ ରହିବା, ଯୁଦ୍ଧ ସମୟରେ ତୋପ ପରିବହନ ଭଳି ଦକ୍ଷତା ବି ଏହାର ରହିଛି।

ଏହି ବୁଡାଜାହାଜରେ ସମୁଦ୍ର ଭିତରେ ମାଇନସ୍ ବିଛାଇ ଶତ୍ରୁକୁ ଉଡାଇ ଦେବାର କୌଶଳ ବି ଏଥିରେ ରହିଛି । INS କରଞ୍ଜ୍ ଆତ୍ମନିର୍ଭର ଭାରତ ଯୋଜନାରେ ନିର୍ମାଣ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଭାରତୀୟ ଇଞ୍ଜିନିୟର୍ ଓ ନୌସେନାର ସହାୟତାରେ ନିର୍ମାଣ କରାଯାଇଛି। ଭାରତରେ ବର୍ତ୍ତମାନ ୪୨ଟି ନୌସେନା ଜାହାଜ ଏବଂ ବୁଡାଜାହାଜ ନିର୍ମାଣ କରାଯାଉଛି ଯାହାମଧ୍ୟରୁ ୪୦ଟି ଭାରତୀୟ ଶିପୟାର୍ଡରେ ବିକଶିତ କରାଯାଉଥିବା ଆଡମିରାଲ କରମବୀର ସିଂ ସୂଚନା ଦେଇଛନ୍ତି ।

INS କରଞ୍ଜର ନିର୍ମାଣ ମଝଗାଓଁ ଡାକ୍‌ ଲିମିଟେଡ ଏବଂ ଫ୍ରାନ୍ସର DCNS କମ୍ପାନୀର ମିଳିତ ଉଦ୍ୟମରେ କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହାର ନିର୍ମାଣରେ DCNS ଯୋଗଦାନ ବହୁତ କମ ରହିଛି। ଏହା ପୂର୍ବରୁ ୨୦୧୯ରେ INS ଖଣ୍ଡେରୀ ନୌସେନାରେ ସାମିଲ ହୋଇଥିଲା। ସେନାରେ ସାମିଲ ହୋଇଥିବା ସ୍କାର୍ପିନ କ୍ଲାସର ପ୍ରଥମ ବୁଡ଼ା ଜାହାଜ ହେଉଛି  INS କଲବାରୀ। ଏହା ୨୦୧୭ରେ ସେନାରେ ସାମିଲ ହୋଇଥିଲା।

INS କରଞ୍ଜର ଲମ୍ବ ୬୫ ମିଟରରୁ ଅଧିକ ଏବଂ ଉଚ୍ଚତା ୪୦ ଫୁଟ ଅଟେ। ଏହାର ବିଶେଷତ୍ୱ ହେଉଛି, ପାଣି ଭିତରେ ରହି ଏହାର ଓଜନ ୧୭୭୫ ରହିବା ବେଳେ ପାଣି ବାହାରେ ଏହାର ଓଜନ ୧୬୧୫ ରହିବ। ପାଣି ଭିତରେ ରହି INS କରଞ୍ଜ ଘଣ୍ଟା ପିଛା ୩୭ କିମି ବେଗରେ ଗତି କରିପାରିବ। ପାଣି ବାହାରେ ଘଣ୍ଟାପ୍ରତି ୨୦ କିମି  ବେଗରେ ଯାଇ ପାରିବ। ଏହା ଭିତରେ ୮ ଜଣ ଅଧିକାରୀ ଏବଂ ୩୫ ଜଣ ନାବିକ ରହିପାରିବେ। ଉଚ୍ଚ କ୍ୱାଲିଟିର ସୋନର ସିଷ୍ଟମ ପାଇଁ ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି।

INS କରଞ୍ଜ ନିଜର ଆକାରକୁ ନେଇ ବେଶ ଚର୍ଚ୍ଚାରେ ରହିଛି। ମିଡିଆ ରିପୋର୍ଟ ଅନୁସାରେ ଏହାର ଆକାର ଛୋଟ ହେବା କାରଣରୁ ଏହା ଶତ୍ରୁମାନଙ୍କ ଚିନ୍ତାର କାରଣ ପାଲଟିଛି। କାରଣ ଏତେ ଛୋଟ ବୁଡା ଜାହାଜକୁ ଶତ୍ରୁ ପକ୍ଷ ସହଜରେ ଖୋଜି ପାଇବ ନାହିଁ। ପାଣି ଭିତରେ ରହି ବି ଏହାର ରେଞ୍ଜ ୧୦୨୦ କିମି ରହିଛି। ଏହା ଲଗାତାର ୫୦ ଦିନ ଧରି ପାଣି ଭିତରେ ରହିପାରେ।

You might also like