ମା’ ଶବ ପାଖରେ ୨ ଦିନ ହେଲା ବସି କାନ୍ଦୁଛି ଶିଶୁ, କୋଭିଡ ଭୟରେ କେହି ଆସିଲେନି ପାଖକୁ

ପୁଣେ: କରୋନା କବଜାରେ ସାରା ପୃଥିବୀ । କାହାର ସୁନାର ସଂସାର ଉଜାଡି ଦେଇଛି ମହାମାରୀ । କାହାକୁ କରିଦେଇଛି ରାସ୍ତାର ଭିକାରୀ । କରୋନା ପାଇଁ ହଜିଯାଉଛି ମଣିଷ ପଣିଆ । କେଉଁଠି ଡାକ୍ତରଖାନା ବାରଣ୍ଡାରେ ମା’କୁ ଛାଡି ପଳାଇ ଯାଉଛନ୍ତି ପୁଅ-ଝିଅ । କେଉଁଠି ମା’ର ଶବ ପାଖରେ ବସି ବିକଳ ହୋଇ ଡାକୁଛି କଅଁଳ ଶିଶୁ, ହେଲେ ମା’ ଉଠୁନି…. ଏମିତି ଅନେକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି ।

ଏବେ ମହାରାଷ୍ଟ୍ରର ପୁଣେରୁ ଏମିତି ଏକ ଛାତି ଥରା ଘଟଣା ଜାଣିବାକୁ ମିଳିଛି । ସ୍ଥାନୀୟ ପୋଲିସକୁ ଏକ ଘରୁ ୧୮ ମାସର ଶିଶୁକୁ ଉଦ୍ଧାର କରିଛି । ୨ ଦିନ ଧରି ପିଲାଟି ନିଜ ମା’ର ଶବ ପାଖରେ ବସିଛି । ନା କିଛି ଖାଇଛି ନା ପିଇଛି । ଏଠାରେ ପରିସ୍ଥିତି ଏତେ ଖରାପ ଯେ, ଦୁଇଦିନ ଧରି ପିଲାଟି ମା’ ଶବ ପାଖରେ ବସି କାନ୍ଦୁଥିଲେ ମଧ୍ୟ କୋଭିଡ ଡରରେ ସାହିପଡିଶା କେହି ତାକୁ ଉଦ୍ଧାର କରିବାକୁ ଆସି ନ ଥିଲେ । ଏପରିିକି ଖାଇବାକୁ ମଧ୍ୟ କିଛି ଦେଇ ନ ଥିଲେ । ଏପରି ପରିସ୍ଥିତିରେ ଜଣେ ମହିଳା ପୋଲିସ କନେଷ୍ଟବଲ ସହାୟତାର ହାତ ବଢାଇଥିଲେ ।

ଘଟଣାଟି ପିମ୍ପରି ଚିଞ୍ଚବାଡ ଅଞ୍ଚଳର । ଅନୁମାନ କରାଯାଉଛି, ମହିଳାଙ୍କ ମୃତ୍ୟୁ ଶନିବାରରୁ ହେଲାଣି । ଏହାପରଠାରୁ ଶିଶୁଟି ଭୋକ ଉପାସରେ ଶବ ପାଖରେ ବସିଛି । କୋଭିଡ ଭୟରେ କେହି ସହାୟତା କରିବାକୁ ନ ଆସିବାରୁ ବାଧ୍ୟ ହୋଇ ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ସୋମବାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଦେଖିଲା, ମହିଳାଙ୍କ ଶବ ପାଖରେ ବସି ଶିଶୁଟି କାନ୍ଦୁଛି। ମହିଳା ପୋଲିସ କନଷ୍ଟେବଲ ସୁଶୀଳା ଗଭାଲେ ଏବଂ ରେଖା ବାଜେ ଶିଶୁଟିକୁ ଆଣିଥିଲେ । ତାକୁ ଖାଇବାକୁ ଦେଇଥିଲେ ।
ସୁଶୀଳା ଗଭାଲେ କହିଛନ୍ତି, ମୋର ୨ ସନ୍ତାନ ଅଛନ୍ତି । ଜଣେ ୮ ବର୍ଷର ଏବଂ ଅନ୍ୟ ଜଣେ ୬ ବର୍ଷର । ଏହି ଶିଶୁଟିକୁ ଦେଖିଲେ ମୋ ନିଜ ସନ୍ତାନ ପରି ଲାଗୁଛି । ଦୁଇଦିନ ଧରି ଭୋକିଲା ଥିବାରୁ ଶିଶୁଟିକୁ ଦୁଧ ପିଇବାକୁ ଦେବାରୁ ଢକ ଢକ ପିଇଦେଲା । ତେବେ ଶିଶୁଟି ଜ୍ୱରରେ ଆକ୍ରାନ୍ତ ଅଛି । ତଥାପି ତା ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।

ଡାକ୍ତରଙ୍କୁ ଦେଖାଇବା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି କହିଛନ୍ତି । ପିଲାଟିକୁ ଠିକ୍‌ ଭାବେ ଖାଦ୍ୟ ଦେବାକୁ କହିଛନ୍ତି । ଶିଶୁଟିକୁ ବିସ୍କୁଟ ଏବଂ ପାଣି ଦେବା ପରେ କରୋନା ଟେଷ୍ଟ ପାଇଁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲୋ ତେବେ ଶିଶୁର ରିପୋର୍ଟ ନେଗେଟିଭ ଆସିଛି । ଶିଶୁଟିକୁ ସରକାରୀ ଶିଶୁକେନ୍ଦ୍ରକୁ ପଠାଇ ଦିଆଯାଇଛି । ତେବେ ମହିଳାଙ୍କ ମୃତ୍ୟୁ କି ପରିସ୍ଥିତିରେ ହେଲା ତାହା ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି ।

You might also like