ସାଧାରଣ ଲୋକଙ୍କୁ ଝଟକା : ଖାଇବା ତେଲ, ଚା’, କ୍ଷୀର ଆଦି ସାମଗ୍ରୀର ଦର ବୃଦ୍ଧି

ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗିଗଲାଣି। ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଜେଟ୍ ବିଗିଡ଼ିବାରେ ଲାଗିଛି । ତିଅଣର ସୁଆଦ ବିଗାଡ଼ୁଛି ବର୍ଦ୍ଧିତ ଦର।  ଚାଉଳ, ଡାଲି, ସୋରିଷ ତେଲ, ସୋୟାବିନ୍ ତେଲ ଠାରୁ ଆରମ୍ଭ କରି ଚା ଓ ଲୁଣର ମୂଲ୍ୟ ମଧ୍ୟ ବଢ଼ିଛି । ଅହେତୁକ ମୂଲ୍ୟ ବୃଦ୍ଧି ହେତୁ କିଚେନର ବଜେଟ୍ ମଧ୍ୟ ବଢ଼ିଯାଇଛି ।

ଉପଭୋକ୍ତା ମନ୍ତ୍ରାଳୟ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ , ୧ ଏପ୍ରିଲ ୨୦୨୦ ତୁଳନାରେ ୨୦୨୧ରେ ଖାଇବା ତେଲ ଦର ୪୭ ପ୍ରତିଶତ ବୃଦ୍ଧି ପାଇଛି । ଏବଂ ଡାଲିର ମୂଲ୍ୟ ୧୭ ପ୍ରତିଶତ ଓ ଚା’ର ମୂଲ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସେହିପରି  ଚାଉଳ ଦର ୧୪.୬୪ ପ୍ରତଶତ ବଢ଼ିଥିବା ବେଳେ ଗହମ ମୂଲ୍ୟ ୩.୨୬ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ କେବଳ ଚିନିର ଦାମ ଗତ ବର୍ଷ ତୁଳନାରେ ଶସ୍ତା ରହିଛି ।

ବିଗତ ଏକ ବର୍ଷ ମଧ୍ୟରେ ଖାଇବା ତେଲର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ସୋରିଷ, ସୂର୍ଯ୍ୟମୁଖୀଠୁ ଆରମ୍ଭ କରି ପାମୋଲିନ୍ ତେଲ ଯାଏଁ, ସବୁ ପ୍ରକାର ଖାଇବା ତେଲର ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି।  ରିପୋର୍ଟ ଅନୁସାରେ ପାମୋଲିନ୍ ତେଲ ୮୭ ରୁ ୧୨୧ ଟଙ୍କା, ସୂର୍ଯ୍ୟମୁଖୀ ତେଲ ୧୦୬ ରୁ ୧୫୭, ‍ବନସ୍ପତି ତେଲ ୮୮ ରୁ ୧୨୧ ଏବଂ ସୋରିଷ ତେଲ ଲିଟର ପିଛା ୧୧୭ରୁ ୧୫୧ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପଟେ ବାଦାମ ତେଲ ଲିଟର ପିଛା ୧୩୯ ରୁ ୧୬୫ ଏବଂ ସୋୟା ତେଲ ଲିଟର ପିଛା ୯୯ ରୁ ୧୧୩ ଟଙ୍କାକୁ ବୃଦ୍ଧି ପାଇଛି । ଏଭଳି  ବୃଦ୍ଧି ଜାରି ରହିଲେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀ ବି ବହୁଳ ଭାବେ ପ୍ରଭାବିତ ହେବେ ବୋଲି ସେ ଆଶଙ୍କା କରିଛନ୍ତି।

ଖାଇବା ତେଲ ବ୍ୟତୀତ ଚା ଏବଂ କ୍ଷୀରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏକ ବର୍ଷରେ ଚାର ମୂଲ୍ୟ ୨୧୭ରୁ ବୃଦ୍ଧି ପାଇ ୨୮୧ରେ ପହଞ୍ଚିଛି । ହରଡ଼ ଡାଲିର ମୂଲ୍ୟ କିଲୋପିଛା ୯୧ ଟଙ୍କାରୁ ୧୦୬ରେ ପହଞ୍ଚିଛି । ବିରି ଡାଲି ୯୯ ରୁ ୧୦୯ ଟଙ୍କା, ମସୁର ଡାଲି ୬୮ରୁ ୮୦ ଟଙ୍କାରେ ପହଞ୍ଚିଛି । ସେହିପରି ମୁଗ ଡାଲି ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୧୦୩ ରୁ ୧୦୫ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି ।

ପଢନ୍ତୁ : ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣା : ୨୨ ଯବାନ ସହିଦ୍ ସୂଚନା

You might also like