ନବଜାତ ଶିଶୁର ଗୋଇଠି ଓ ଅଙ୍ଗୁଳି କାଟି ନେଇଗଲା ମୂଷା

ଇନ୍ଦୋର : ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା । ନବଜାତ ଶିଶୁର ଗୋଇଠି ଓ ଅଙ୍ଗୁଳି କାଟିଦେଲା ମୂଷା । ପରିବାରର ଅଭିଯୋଗ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ କମିଟି ଗଠନ କରି ଯାଂଚ ଆରମ୍ଭ କରିଛନ୍ତି । ଇନ୍ଦୋରର ମହାରାଜା ଯଶବନ୍ତରୋ ହସ୍ପିଟାଲରେ ଏପରି ଅଭାବନୀୟ ଘଟଣା ଘଟିଛି । ସେପେଟ ହସ୍ପିଟାଲ ଅଧୀକ୍ଷକ ପ୍ରମେନ୍ଦ୍ର ଠାକୁର କହିଛନ୍ତି , ଡାକ୍ତରଖାନାରେ ଏକ ଶିଶୁକୁ ମୂଷା କାମୁଡ଼ିବା ଭଳି ଘଟଣା ଘଟିଛି। ଏହି ଘଟଣାର ବିସ୍ତୃତ ଅନୁସନ୍ଧାନ କରାଯାଇ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଅନୁସାରେ ପ୍ରି ମାଚ୍ୟୁର ଶିଶୁ ଜନ୍ମ ହୋଇଥିବାରୁ ନବଜାତ ଶିଶୁକୁ ନର୍ସରୀରେ ରଖାଯାଇଥିଲା । ଜନ୍ମ ସମରେ ତା’ର ଓଜନ ପାଖାପାଖି ୧.୪ କିଲୋ ଥିଲା । ତେଣୁ ଶିଶୁକୁ ହସ୍ପିଟାଲର ୱାର୍ମରରେ ରଖାଯାଇଥିଲା । ତେବେ ସୋମବାର ଦିନ କ୍ଷୀର ପିଆଇବାକୁ ଯାଇ ଶିଶୁକୁ ଦେଖି  ଆଶ୍ଚର୍ଯ୍ୟ ହୋଇଯାଇ ଚିତ୍କାର କରିଥିଲେ ଶିଶୁର ମା’ । ମା’ର ଚିତ୍କାର ଶୁଣି ପରିବାର ଲୋକ ଦଉଡ଼ି ଆସିଥିଲେ । ଆଉ ଆସିଲା ବେଳକୁ ୱାର୍ମରରେ ରକ୍ତାକ୍ତ ହୋଇ ପଡ଼ି ରହିଥିଲା ନବତାତକ ।

ତେବେ ଏହି ଘଟଣା ନେଇ ପରିବାର ଲୋକ ପାଟିତୁଣ୍ଡ କରିବା ପରେ ଡ୍ୟୁଟିରେ ଥିବା ଆରଏସଏସ ଅଧୀକ୍ଷକଙ୍କୁ କାର୍ଯ୍ୟାଳୟକୁ ଡକାଯାଇଥିଲା। ଜଣେ ପ୍ଲାଷ୍ଟିକ୍ ସର୍ଜନଙ୍କୁ ଡକାଇ ନବଜାତ ଶିଶୁର ପରୀକ୍ଷା କରାଯାଇଥିଲା। ଯାଂଚ ପରେ ଜଣାପଡିଥିଲା ଶିଶୁଟିର ଗୋଇଠି, ପାଦର ଗୋଟିଏ ଅଙ୍ଗୁଳି ଓ ହାତର ଗୋଟିଏ ଅଙ୍ଗୁଳି କାଟି ପକାଇଛି ମୂଷା ।

ଏହା ପ୍ରଥମଥର ନୁହେଁ ପୂର୍ବରୁ ମଧ୍ୟ ଏହି ହସ୍ପିଟାଲରେ ଏପରି ଘଟଣା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ନର୍ସରୀରେ ଥିବା ଏକ କୁନି ଶିଶୁର ପାଦ ସମ୍ପୂର୍ଣ୍ଣ ରୂପେ ପୋଡ଼ି ଯାଇଥିଲା । ବର୍ତ୍ତମାନ ଏକ ଘରୋଇ ଡାକ୍ତରଖାନାରେ ଶିଶୁର ଚିକିତ୍ସା ଚାଲିଛି। ପିଲାଟି ସମୟ ପୂର୍ବରୁ ଜନ୍ମ ନେଇଥିବାରୁ ତାକୁ ଏକ ନସରୀର ୱାର୍ମରରେ ରଖାଯାଇଥିଲା । ତେବେ ୱାର୍ମର ଏତେ ଗରମ ଥିଲା ନବଜାତର ପାଦ ଜଳି ଫୋଟକା ହୋଇଯାଇଥିଲା, ଆଉ ଏହା ଦେଖି ତାଙ୍କ ପରିବାର ଲୋକ ବେଶ୍ ହଙ୍ଗାମା କରିଥିଲେ ।

You might also like