୧୯୪୭ ଭାରତ-ପାକ୍‌ ଯୁଦ୍ଧ-ଜାଣନ୍ତୁ ଶତ୍ରୁପକ୍ଷକୁ କେମିତି ଚକ୍‌ମା ଦେଇଥିଲେ ଏହି ବୀର ଯୋଦ୍ଧା

ନୂଆଦିଲ୍ଲୀ: ୧୯୪୭ ମସିହା,  ଦେଶ ସ୍ୱାଧୀନ ହେବାର ପରବର୍ତ୍ତୀ ସମୟ। ଦେଶ ପାଇଁ ସବୁଠାରୁ ସଙ୍କଟର ମୁହୂର୍ତ୍ତ। ଦେଶ ବିଭାଜନ..ଦଙ୍ଗା…ଆଉ ତା ପରେ କାଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ।  ପାକ୍‌ ସେନାର ସମର୍ଥନରେ ପାକ୍‌ ଜନଜାତି ଭାରତ ଉପରେ କରିଥିଲା ଆକ୍ରମଣ। ପରିସ୍ଥିତିକୁ ଦେଖି କାଶ୍ମୀରର ତତ୍କାଳୀନ ରାଜା ହରି ସିଂ ଭାରତକୁ ସାହାଯ୍ୟ ମାଗିଥିଲେ।

ଭାରତ ସରକାର ହରି ସିଂଙ୍କୁ ଏହି ସର୍ତ୍ତରେ ସାହାଯ୍ୟ କରିବାକୁ ରାଜି ହୋଇଥିଲା ଯେ-କାଶ୍ମୀର ଭାରତ ସହ ମିଶିବ। ଆଉ କାଶ୍ମୀର ଜନଜାତିର ଆକ୍ରମଣ ଦେଖି ହରି ସିଂ ଭାରତର ସର୍ତ୍ତରେ ରାଜି ହୋଇଥିଲେ। ଭାରତ ସରକାର ଏବଂ ହରି ସିଂଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷର ହେବା ପରେ ଭାରତ ପାକିସ୍ତାନୀ ଜନଜାତିଙ୍କୁ ବିତାଡିତ କରିବା ପାଇଁ ସେନା ପଠାଇଥିଲା।

ହେଲେ ଏହି ସମୟରେ କାଶ୍ମୀର-ପାକ୍‌ ସେନାଙ୍କ ଗୁଳିରେ କାଶ୍ମୀର ମାଟି ହୋଇଥିଲା ଲହୁଲୁହାଣ। ନିଜର ଜୀବନ ଦେଇ ଜନ୍ମମାଟିକୁ ସୁରକ୍ଷା ଯୋଗାଇଥିଲେ ଅଳ୍ପ କେତେଜଣ ବୀର ସନ୍ତାନ।  ଏଇ ଅକ୍ଟୋବର ଆସିଲେ ମନେ ପଡ଼ିଯାଏ ସେଇ ବୀର ସହିଦଙ୍କ କଥା। ଆମେ ଆଜି ସେଇ ସହିଦଙ୍କ ବୀରତ୍ୱର କାହାଣୀ କହିବୁ, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଜମ୍ମୁ-କାଶ୍ମୀର ଆର୍ମିର ମୁଖ୍ୟ ରାଜେନ୍ଦ୍ର ସିଂହ। କାଶ୍ମୀରକୁ ପାକ୍‌ ଆକ୍ରମଣକାରୀଙ୍କଠାରୁ ବଞ୍ଚାଇବାରେ ତାଙ୍କର ଭୂମିକା ଥିଲା ଅନନ୍ୟ। ହରି ସିଂ ଦେଖିଲେ ପାକିସ୍ତାନ ମାଡି ଆସୁଛି। ସ୍ୱଳ୍ପ ସୈନ୍ୟକୁ ନେଇ ସେମାନଙ୍କୁ ମୁକାବିଲା କରିବା କଷ୍ଟ।  ତେଣୁ ପାକ୍‌ ଆକ୍ରମଣକାରୀଙ୍କୁ  ଅଟକାଇବା ପାଇଁ ହରି ସିଂ ବ୍ରିଗେଡିଅର ରାଜେନ୍ଦ୍ର ସିଂହଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୧୫୦ଜଣ ଯବାନ ଏବଂ ବହୁତ କମ୍‌ ଅସ୍ତ୍ରଶସ୍ତ୍ର ସହ ସେ ହଜାର ହଜାର ପାକ୍‌ ଆକ୍ରମଣକାରୀଙ୍କୁ ମୁକାବିଲା କରିଥିଲେ, ଆଉ ୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଅଟକାଇ ରଖିଥିଲେ। ଆଉ ତା’ ପରେ ଭାରତର ସେନା ସାହାଯ୍ୟ ପାଇଁ ପହଞ୍ଚିଥିଲେ।

ପାକ୍‌ ଆକ୍ରମଣକାରୀଙ୍କୁ ଅଟକାଇବାରେ ରାଜେନ୍ଦ୍ର ସିଂହ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲେ ପ୍ରକୃତରେ ତାହା ଥିଲା ବିରଳ। ଶତ୍ରୁପକ୍ଷର ଗୁଳିରେ ସାଂଘାତିକ ଭାବେ ଆହତ ହୋଇଥିଲେ, ତଥାପି ଯୁଦ୍ଧକ୍ଷେତ୍ର ଛାଡ଼ି ପଳାଇ ଆସି ନ ଥିଲେ। ୧୯୪୭ ଅକ୍ଟୋବର ୨୭ ତାରିଖରେ ସେ ସହିଦ ହୋଇଥିଲେ। ଏବେ ବି ସହିଦ ରାଜେନ୍ଦ୍ରଙ୍କୁ ସେଠିକାର ଲୋକେ କାଶ୍ମୀରର ରକ୍ଷକ ନାଁରେ ହିଁ ଚିହ୍ନିଥାନ୍ତି। ସ୍ୱତନ୍ତ୍ର ଭାରତର ପ୍ରଥମ ମହାବୀରଚକ୍ର ସମ୍ମାନ ମୃତ୍ୟୁ ପରେ ତାଙ୍କୁ ପ୍ରଦାନ କରାଯାଇଥିଲା।

କାଶ୍ମୀରର ଆଉ ଜଣେ ରକ୍ଷକ ସୋମନାଥ ଶର୍ମା । ୧୯୪୭ ନଭେମ୍ବର ୩ ତାରିଖ କାଶ୍ମୀର ଘାଟିକୁ ଯିବା ପାଇଁ ସୋମନାଥ ଶର୍ମାଙ୍କୁ ନିର୍ଦ୍ଦେଶ ଦିଆଗଲା। ସୂର୍ଯ୍ୟଙ୍କ ପ୍ରଥମ କିରଣ ପୃଥିବୀ ବକ୍ଷକୁ ଛୁଇଁବା ପୂର୍ବରୁ ସୋମନାଥ ନିଜ ସେନାମାନଙ୍କୁ ଧରି ବଦଗାଓଁରେ ପହଞ୍ଚି ଯାଇଥିଲେ। ପୂର୍ବହ୍ନ ୧୧ଟା ବେଳକୁ ସେନାଙ୍କ ସହ ସୋମନାଥ ଶତ୍ରୁପକ୍ଷର ମୁକାବିଲା କରବା ପାଇଁ ପୋଜିସନ ନେଇ ଠିଆ ହୋଇ ଯାଇଥିଲେ। ଶତ୍ରୁପକ୍ଷର ପ୍ରାୟ ୫୦୦ ଜଣଙ୍କୁ ତିନିପଟୁ ଘେରି ଆକ୍ରମଣ କରିଥିଲେ ସୋମନାଥଙ୍କ ସେନା। ହେଲେ ଶତ୍ରୁପକ୍ଷର ପ୍ରବଳ ଗୁଳିମାଡ଼ରେ ବହୁ ସୈନ୍ୟ ଆହତ ହୋଇ ପଡ଼ିଲେ। ଏହା ଦେଖି ସୋମନାଥ ସେନାଙ୍କୁ ଆଗକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୟରେ ସୋମନାଥ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ବିପଦ ମୁହଁକୁ ନିଜେ ଯାଇଥିଲେ। ଗୁଳିରେ ଲହୁଲୁହାଣ ହୋଇଯାଇଥିଲା ତାଙ୍କର ଶରୀର । ତଥାପି ପଟ୍ଟି ବାନ୍ଧି ହେଲିକାପ୍ଟରକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାବାରେ ସାହାଯ୍ୟ କରିଥିଲେ। ସେତେବଳକୁ ଅନେକ ସୈନ୍ୟ ବୀରଗତି ପ୍ରାପ୍ତ ହୋଇ ସାରିଲେଣି। ସୋମନାଥଙ୍କ ହାତରେ ଗୁଳି ବାଜି ରକ୍ତ ଝରୁଥାଏ। ତଥାପି  ସେ ମାଗାଜିନ୍‌ରୁରେ ଗୁଳି ଭର୍ତ୍ତି କରି ସୈନିକଙ୍କୁ ଦେଉଥାନ୍ତି। ଏହି ସମୟରେ ଏକ ମାର୍ଟାର ମାଡ ହେଲା ଆଉ ସେଠାରେ ସହିଦ ହୋଇଗଲେ ସୋମନାଥ। ସୋମନାଥଙ୍କୁ ମରଣତ୍ତୋର ପରମବୀର ଚକ୍ର ଉପାଧି ମିଳିଥିଲା।

ନାଏକ ଯଦୁଥାନ ସିଂହ। ପରମବୀର ଚକ୍ର ପାଇଥିବା ୪ର୍ଥ ବ୍ୟକ୍ତି। ତାଙ୍କର ବୀରତା ଏବଂ ରଣକୌଶଳ ଯୋଗୁ ସେ ଥରେ ନୁହେଁ, ତିନି ତିନି ଥର ଶତ୍ରୁ ସାମ୍ନାରୁ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ୬ ଫେବୃୟାରୀ ୧୯୪୮ ମସିହା କଥା। ତେନ୍‌ଧାରରେ ସେ ଆଗରେ ରହି ନିଜ କମାଣ୍ଡର ନେତୃତ୍ୱ ନେଉଥାନ୍ତି। ଏହି ସମୟରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ହେଲା। ଯଦୁନାଥ ଏମତି ଚତୁରତାର ସହ ଯୁଦ୍ଧ କଲେ ଯେ ଶତ୍ରୁପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଅଳ୍ପ ସେନାଙ୍କୁ ନେଇ ଏମିତି ଯୁଦ୍ଧ କୌଶଳ ପ୍ରସ୍ତୁତ କଲେ, ଶତ୍ରୁପକ୍ଷ ରଣଭୂମି ଛାଡ଼ି ପଳାଇଗଲେ।

୨ୟ ଥର ପାଇଁ ପୁଣି ଆକ୍ରମଣ କଲା ପାକ୍‌। ଏଥର ସବୁ ଯବାନ ଆହତ ହୋଇଗଲେ। ହେଲେ ଯଦୁନାଥ ଜଣେ ଆହତ ଯବାନଙ୍କ ହାତରୁ ବନ୍ଧୁକ ଆଣି ଆକ୍ରମଣ କଲେ। ଏଥର ମଧ୍ୟ ନିଜ ଇଲାକାକୁ ବଞ୍ଚାଇ ପାରିଥିଲେ ଯଦୁନାଥ। ଏହାପରେ  ତୃତୀୟ ଥର ପାଇଁ ପୁଣି ଆକ୍ରମଣ କଲା ପାକିସ୍ତାନ। ଏଥର ଯଦୁନାଥ ଏକୁଟଆ ରହିଗଲେ। ତଥାପି ଏମିତି କୌଶଳରେ ଯୁଦ୍ଧ କଲେ ଯେ, ଶତ୍ରୁ ପକ୍ଷ ଦ୍ୱନ୍ଦ୍ୱରେ ପଡିଗଲେ। ଶତ୍ରୁ ତ ପଳାଇଗଲେ, ହେଲେ ଦୁଇଟି ଗୁଳି ତାଙ୍କର ମୁଣ୍ଡ ଏବଂ ଛାତିରେ ବାଜିଗଲା। ସେହିଠାରେ ହିଁ ଟଳି ପଡ଼ିଲେ ଭାରତମାତାର ଏଇ ବୀର ସନ୍ତାନ।
ସୁବେଦାର କରମ ସିଂହ। ୧୯୪୮ ଅକ୍ଟୋବର ୧୩ ତାରିଖ ଶତ୍ରୁପକ୍ଷ କାଶ୍ମୀରର ରିଛମାର ଉପରେ କବ୍‌ଜା କରିବା ପାଇଁ ଆକ୍ରମଣ କଲେ। ଶତ୍ରୁପକ୍ଷର ଗୁଳିମାଡ଼ରେ ଭାରତୀୟ ବଙ୍କର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। କମାଣ୍ଡରଙ୍କ ସହ ଯୋଗାଯୋଗ ବିଚ୍ଛନ୍ନ ହୋଇଗଲା। ତାଙ୍କୁ ସେନା ଦରକାର, ଗୁଳି ଓ ଅସ୍ତ୍ର ଦରକାର ବୋଲି ସୁବେଦାର କମର ସିଂହ ନିଜ କମାଣ୍ଡରଙ୍କୁ ଜଣାଇ ପାରିଲେ ନାହିଁ ।

ଗୋଟିଏ ମାତ୍ର ଉପାୟ ତାଙ୍କ ହାତରେ ଥିଲା-ଯେତିକି ସେନା ଓ ଅସ୍ତ୍ର ଅଛି ତାକୁ ନେଇ ମୁକାବିଲା କରିବେ। ଶତ୍ରୁପକ୍ଷର ଆକ୍ରମଣରେ ଗୁରୁତର ଆହତ ହୋଇପଡ଼ିଲେ ମଧ୍ୟ ବୀରତ୍ୱର ସହ ଲଢୁଥିଲେ। ସେତେବେଳକୁ ଶତ୍ରୁପକ୍ଷ ତାଙ୍କ ପାଖରେ ପହଞ୍ଚି ଗଲେଣି। ତଥାପି ସେ ପଛଘୁଞ୍ଚା ଦେଇ ପଳାଇ ଯାଇ ନ ଥିଲେ। ଶତ୍ରୁ ଅତି ପାଖକୁ ଆସିବା କ୍ଷଣି ନିଜ ବନ୍ଧୁକ ସହ ତାଙ୍କ ଉପରକୁ ଡେଇଁ ପଡ଼ିଥିଲେ। ଦୁଇ ଅନୁପ୍ରବେଶକାରୀଙ୍କୁ ଗୁଳି କରି ମାରି ଦେଇଥିଲେ। ତାଙ୍କ ଆକ୍ରମଣ ଦେଖି ଶତ୍ରୁପକ୍ଷ ଏତେ ଭୟଭୀତ ହୋଇ ଯାଇଥିଲେ ଯେ, ଆକ୍ରମଣ କରିବା ବନ୍ଦ କରି ଦେଇଥିଲେ।

You might also like