କରୋନା ରୋଗୀଙ୍କ ସେବା କରୁ କରୁ ଟଳି ପଡ଼ୁଛନ୍ତି ଭାରତୀୟ-ଆମରିକା ଡାକ୍ତର

ନ୍ୟୁୟର୍କ: ଆମେରିକାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା  ଭାରତୀୟ ଡାକ୍ତର ଡା.ମାଧବୀ ଶେଷ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ । ନିଜର ଅଧୂରା ଇଚ୍ଛାକୁ ନେଇ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଗଲେ । ୬୧ ବର୍ଷ ବୟସ୍କା ଏହି ଡାକ୍ତର ନିଜ  ସ୍ୱାମୀଙ୍କ ସହ ଆମେରିକାରେ ରହୁଥିଲେ । ଶେଷ ସମୟରେ ସେ ନିଜ ସ୍ୱାମୀ ଓ ପରିବାର ଲୋକଙ୍କୁ ପାଖରେ ଦେଖି ପାରି ନ । କେବଳ ମୋବାଇଲ ମାଧ୍ୟମରେ ଯାହା ସମ୍ପର୍କ ରଖିଥିଲେ ।
ଅଧୂରା  ସ୍ୱପ୍ନକୁ ନେଇ ଆଖି ବୁଜିଥିବା ଡାକ୍ତର କେବଳ ମାଧବୀ ନୁହଁନ୍ତି । ଏମିତି ଅନେକ ଭାରତୀୟ ଡାକ୍ତର କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ଚିକିତ୍ସା କରୁ କରୁ ସଂକ୍ରମିତ ହୋଇ କିଏ ମୃତ୍ୟୁବରଣ କରୁଛି ତ କିଏ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ସ୍ଥାନୀୟ ଏକ ସମ୍ବାଦପତ୍ର ’ସନ୍‌ ସେଣ୍ଟିନେ’ର ସୂଚନା ଅନୁସାରେ, ଡାକ୍ତର ମାଧବୀ ଶେଷ ପର୍ଯ୍ୟନ୍ତ ନିଜ ପେଷା ପାଖରେ ସମର୍ପିତ ଥିଲେ ।

ଭାରତୀୟ-ଆମେରିକା ନେତାଙ୍କ କହିବା ଅନୁଯାୟୀ, ଏଠାରେ ଭାରତୀୟ-ଆମରିକା ଡାକ୍ତର ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ଅନେକ ଡାକ୍ତରଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଲାଣି । ସଂକ୍ରମିତ ହୋଇଥିବା ଅଧିକରୁ ଅଧିକ ଡାକ୍ତର ନ୍ୟୁୟର୍କ ଏବଂ ନ୍ୟୁଜର୍ସିର ।

ମିଳିଥିବା ତଥ୍ୟରୁ ଜଣାଯାଇଛି, ଏପ୍ରିଲ ମାସ ଆରମ୍ଭରେ ଏଠାରେ ଜଣେ ଭାରତୀୟ-ଆମେରିକା ଡାକ୍ତର କରୋନା ରୋଗୀଙ୍କୁ ଚିକିତ୍ସା କରୁଥିଲେ । ହଠାତ୍‌ ରୋଗୀ ଜଣଙ୍କ ବାନ୍ତି କରିଦେଲେ ଏବଂ ଏହା ସଂପୃକ୍ତ ଡାକ୍ତରଙ୍କ ଉପରେ ପଡ଼ିଲା । କିଛି ଦିନ ପରେ ଏହି ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ସବୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ କେହି ବଞ୍ଚାଇ ପାରିଲେ ନାହିଁ ।
ଅନ୍ୟଜଣେ  ଭାରତୀୟ-ଆମେରିକୀୟ ଡାକ୍ତର ପ୍ରିୟା ଖନ୍ନା (୪୩ବର୍ଷ)ଙ୍କର ଚଳିତ ସପ୍ତାହରେ ନ୍ୟୁଜର୍ସିର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ତାଙ୍କର ବାପା ସତ୍ୟେନ୍ଦ୍ର ଖନ୍ନା (୭୮) ମଧ୍ୟ ଜଣେ ସର୍ଜନ ଥିଲେ ଏବଂ ସେ ମଧ୍ୟ କରୋନା ପଜିଟିଭ ଥିଲେ । ତାଙ୍କର ଅବସ୍ଥା ଏବେ ଗମ୍ଭୀର ଅଛି ଏବଂ ତାଙ୍କୁ ଆଇସିୟୁରେ ରଖାଯାଇଛି ।
ଏଏପିଆଇର ଉପାଧ୍ୟକ୍ଷ ଅନୁପମା ଗୋତିମୁକୁଲାଙ୍କ କହିବା ଅନୁଯାୟୀ, ଆମେରିକାରେ କରୋନା ଯୁଦ୍ଧର ପ୍ରକୃତ ନାୟକ ହେଉଛନ୍ତି ଭାରତୀୟ-ଆମେରିକା ଡାକ୍ତର । କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ଅନେକ ଏଥିରେ ସଂକ୍ରମିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏଠି କହି ରଖିବୁ, ଏଏପିଆଇ ଅଧ୍ୟକ୍ଷ ଡା. ଅଜୟ ଲୋଧା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ନ୍ୟୁୟର୍କର ଏକ ଡାକ୍ତରଖାନାର ଆସିୟୁରେ ଭର୍ତ୍ତି ହୋଇଛନ୍ତି ।
ସେତିକୁ ନୁହେଁ, ଏଏପିଆଇର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଗୌତମ ସମଦରଙ୍କ ପତ୍ନୀ ଡା.ଅଞ୍ଜନା ସମଦର ମଧ୍ୟ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଅନ୍ୟଜଣେ ଜଣାଶୁଣା ଭାରତୀୟ ଆମେରିକୀ ଡାକ୍ତର ସୁନିଲ ମେହରଙ୍କ ଅବସ୍ଥା ମଧ୍ୟ ଗମ୍ଭୀର ଅଛି । ସୂଚନାଥାଉ କି, ଏହି ଭାଇରସରେ ଆମେରିକାର ୪୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୭, ୬୩ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ।

You might also like