କେରଳରୁ ଚିହ୍ନଟ ହେଲେ ଦ୍ୱିତୀୟ କରୋନା ଆକ୍ରାନ୍ତ

ଥିରୁଭନନ୍ତପୁରମ: କେରଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର କିଛି ଦିନ ନ ପୂରୁଣୁ ପୁଣି ଆଉ ଜଣେ ବ୍ୟକ୍ତି ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

କେରଳର ଆଉ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ୍‌ ପଜିଟିଭ୍ ବାହାରିଛି। ଏହାପରେ ଆକ୍ରାନ୍ତଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେ ଜାନୁଆରୀ ୨୪ରେ ଚୀନରୁ ଭାରତକୁ ଫେରିଥିଲେ।

କରୋନା ଭାଇରସ୍‌ ଦିନକୁ ଦିନ ଭୟାବହ ରୂପ ନେଉଥିବାରୁ ଚୀନରେ ରହୁଥିବା ଭାରତୀୟଙ୍କୁ ଫେରାଇ ଅଣାଯାଉଛି। ଆଜି ଚୀନର ଉହାନ୍‌ରୁ ଦ୍ୱିତୀୟ ବ୍ୟାଚ୍‌ରେ ୩୨୩ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ସେମାନଙ୍କ ସହ ୭ ଜଣ ମାଳଦ୍ୱୀପ ନାଗରିକ ମଧ୍ୟ ଦିଲ୍ଲୀ ଫେରଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସମସ୍ତେ ଦିଲ୍ଲୀ ଫେରିଛନ୍ତି।

ଗତକାଲି ଉହାନ୍‌ରୁ ୩୨୪ଜଣ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଥିଲା। ଚୀନରୁ ଫେରିଥିବା ଭାରତୀୟଙ୍କ ପାଇଁ ଦିଲ୍ଲୀ ITBPରେ ୬ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିରର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଭାଇରସ୍‌ ସଂକ୍ରମିତ କରିଛି ନା ନାହିଁ, ଏନେଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଦେଶକୁ ବ୍ୟାପିଲାଣି କରୋନା ଭାଇରସ୍‌। ଚୀନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୦ ଟପିଥିବାବଳେ ୧୪ ହଜାର ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି।

You might also like