ମେ’ରେ ଆହୁରି ଭୟଙ୍କର ହୋଇପାରେ କରୋନା, ୩୫ ଲକ୍ଷ ଛୁଇଁପାରେ ଆକ୍ଟିଭ୍‌ କେସ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠୁ ଅଧିକ ଭୟଙ୍କର ଦେଖିବାକୁ ମିଳିଛି। ପ୍ରଥମ ଲହରରେ କରୋନାରେ ଯେତିକି ଆକ୍ରାନ୍ତ ହେଉଥିଲେ, ଦ୍ୱିତୀୟ ଲହରରେ ତା’ଠୁ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ କେଉଁଠି ବେଡ୍‌ ମିଳୁ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ହସ୍ପିଟାଲ୍‌ରେ ବେଡ୍‌ ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। ସେପଟେ ଅକ୍ସିଜେନ୍‌ ଅଭାବରୁ ଲୋକଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ଏହି ଅଦୃଶ୍ୟ ଭାଇରସ୍‌ ଯୋଗୁ ଧୀରେଧୀରେ ମାନବିକତା ମଧ୍ୟ ହଜି ଯାଉଛି। ଲୋକଙ୍କ ମଧ୍ୟରେ ପାଚେରି ହୋଇ ଛିଡ଼ା ହୋଇଛି କରୋନା। ସଂକ୍ରମଣ ଭୟ ଯୋଗୁ ନିଜ ଲୋକ ବି ଆଡ଼ ଆଖିରେ ଚାହୁଁ ନାହାନ୍ତି। ସବୁଦିନ ପାଇଁ ପର କରି ଦେଉଛନ୍ତି। ଆଉଁ କେଉଁଠି ମୁଠାଏ ଦାନା ପାଇଁ ଡହଳ ବିକଳ ହୋଇ ମରୁଛନ୍ତି ଲୋକ। ସବୁଦିନ ପାଇଁ ଏହି ଭାଇରସ୍‌ କେମିତି ଯିବ, ତାହା ସମସ୍ତେ ଭାବୁଛନ୍ତି। ହେଲେ ଏହାର ଉତ୍ତର କାହାରି ପାଖରେ ନାହିଁ। ଏସବୁ ଭିତରେ ଦିନକୁ ଦିନ ସାରା ଦେଶରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି।

ଦ୍ୱିତୀୟ ଲହରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ, ଦେଶରେ ମେ’ ୧୧ରୁ ୧୫ ଭିତରେ କରୋନା ପିକ୍‌ ସ୍ତରରେ ପହଞ୍ଚିପାରେ। mathematical ମଡେଲ୍‌ ମାଧ୍ୟମରେ ବୈଜ୍ଞାନିକମାନେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଯେଉଁ ଅଧ୍ୟୟନ କରିଛନ୍ତି, ସେଥିରୁ ଜଣାପଡ଼ିଛି, ମେ’ ୧୧ରୁ ୧୫ ଭିତରେ କରୋନା ଆକ୍ଟିଭ୍‌ କେସ୍‌ ୩୩ରୁ ୩୫ ଲକ୍ଷ ପହଞ୍ଚିପାରେ।

corona test

ବୈଜ୍ଞାନିକମାନେ ଅନୁମାନ କରିଛନ୍ତି, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ। ଗତ ବର୍ଷ ଯେଭଳି ଅନୁମାନ କରାଯାଇଥିଲା, ଯଦି ସେଭଳି ଟ୍ରେଣ୍ଡ୍‌ ରହିବ ତା’ହେଲେ କରୋନା ରୋଗୀଙ୍କ ସଂଖ୍ୟା ମେ’ ମଧ୍ୟ ପର୍ଯ୍ୟନ୍ତ ୩ ଗୁଣା ବଢ଼ିପାରେ। ଗତବର୍ଷ ସେପ୍ଟେମ୍ବର ୧୭ରେ କରୋନା ପିକ୍‌ ସ୍ତରରେ ପହଞ୍ଚିଥିଲା। ହେଲେ ଚଳିତ ବର୍ଷ ସ୍ଥିତି ଆହୁରି ସଙ୍ଗୀନ ଥିବା ଦେଖିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମ ସଂସ୍ଥା The Times Of Indiaର ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଏହା କୁହାଯାଇପାରେ ଯେ, ଏପ୍ରିଲ ୨୫-୩୦ ମଧ୍ୟରେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ତେଲଙ୍ଗାନାରେ କରୋନାର ନୂଆ କେସ୍‌ ପିକ୍‌ ସ୍ତରରେ ପହଞ୍ଚିପାରେ। ମେ’ ୧-୫ ମଧ୍ୟରେ ଓଡ଼ିଶା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଏବଂ ମେ’ ୬-୧୦ ମଧ୍ୟରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ କରୋନା ପିକ୍‌ ସ୍ତରରେ ପହଞ୍ଚିପାରେ। ମହାରାଷ୍ଟ୍ର ଓ ଛତିଶଗଡ଼ରେ ପୂର୍ବରୁ ହିଁ କରୋନା ପିକ୍‌ ସ୍ତରରେ ଅଛି। ସେହିପରି ଏପ୍ରିଲ ୨୫ ପାଖାପାଖି ବିହାରରେ କରୋନା ପିକ୍‌ ସ୍ତରରେ ପହଞ୍ଚିପାରେ।

coronavirus

ବୈଜ୍ଞାନିକମାନେ କହିଛନ୍ତି, କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ସ୍ଥିତି ଉପରେ ଲଗାତାର ଭାବେ ନଜର ରହିଛି। ମେ’ ୧-୫ ମଧ୍ୟରେ ପ୍ରତ୍ୟେକ ଦିନ ପାଖାପାଖି ୩.୩ରୁ ୩.୫ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇପାରନ୍ତି। ତେବେ ମେ’ ୧୧-୧୫ ମଧ୍ୟରେ ୩୩-୩୫ ଲକ୍ଷ ପାଖାପାଖି ଆକ୍ଟିଭ୍‌ କେସ୍‌ ସହ ପିକ୍‌ ସ୍ତରରେ ପହଞ୍ଚିପାରେ।

ଦେଶରେ ଭୟଙ୍କର ରୂପ ନେଉଛି କରୋନା। ସବୁ ରେକର୍ଡ ଭାଙ୍ଗି ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ କରିଛି। ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ପାଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି। ଦେଶରେ ଦିନକରେ ୨ ହଜାର ୧୦୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧି ପାଇଛି।

You might also like