ଦେଶର ମେଟ୍ରୋ ସହରଗୁଡ଼ିକରେ ଜଟିଳ ହେଉଛି କରୋନା ସ୍ଥିତି

ନୂଆଦିଲ୍ଲୀ: ଦେଶର ମେଟ୍ରୋ ସହରଗୁଡ଼ିକରେ ଜଟିଳ ହେଉଛି କରୋନା ସ୍ଥିତି। ବାଣିଜ୍ୟିକ ରାଜଧାନୀ ମୁମ୍ବାଇର ହାଲ୍ ସବୁଠୁ ଅଧିକ ଖରାପ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଛୁଇଁବାକୁ ବସିଥିବା ବେଳେ ମୃତ୍ୟୁସଂଖ୍ୟା ୫ଶହ ନିକଟବର୍ତ୍ତୀ ହୋଇଛି। ତେଣେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ହୋଇଥିବା ବେଳେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହର ଅହମ୍ମଦାବାଦ୍‌ରେ ସଂଖ୍ୟା ୫ ହଜାର ଟପିଛି। ସେହିଭଳି ସୁରତ୍‌ରେ ବି ସ୍ଥିତି ଖରାପ ହେବାରେ ଲାଗିଛି।

କରୋନା ହବ୍‌ରେ ପରିଣତ ହୋଇଛି ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିଥିବା ବେଳେ କେବଳ ମୁମ୍ବାଇରେ ୧୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ମାୟାନଗରୀରେ ମୃତ୍ୟୁସଂଖ୍ୟା ୫୦୦ ଛୁଇଁବା ଉପରେ। ଏସିଆର ସର୍ବବୃହତ ବସ୍ତି ଧାରାବିରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଶହ ଟପିଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ଘଟିଛି।

ଏଣେ ଜାତୀୟ ରାଜଧାନୀ ଦିଲ୍ଲୀରେ ବି କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬୫୪୨ ରହିଛି । ଏଠି ୭୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି କୋଭିଡ୍-୧୯। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଦୈନଦିନ ଭିତ୍ତିରେ ସ୍ଥିତି ସମୀକ୍ଷା କରୁଥିବା କହିଛନ୍ତି। ୫୦ ବର୍ଷରୁ ଅଧିକ ବୟସର ଲୋକ ଅଧିକ ସତର୍କ ରହିବା ଲାଗି ସେ ପୁଣି ଥରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବି ଦିଲ୍ଲୀ ସ୍ଥିତି ଉପରେ ନଜର ରଖିଛନ୍ତି। ଏପଟେ ଗୁଜରାଟର ଅହମ୍ମଦାବାଦ୍ ଓ ସୁରତରେ ସଂକ୍ରମଣ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢୁଛି। ଅହମ୍ମଦାବାଦ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଥିବା ବେଳେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଚିନ୍ତା ବଢ଼ାଇଛି। ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଗତକାଲି ଅହମ୍ମଦାବାଦ୍ ଯାଇ ସ୍ଥିତି ସମୀକ୍ଷା କରିଥିଲେ ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ କରି ହସପିଟାଲ ଆଣିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ତେବେ କଣ ହୋଇପାରେ ପ୍ରମୁଖ ସହରଗୁଡିକରେ କୋଭିଡ୍ ଦ୍ରୁତବେଗରେ କାୟା ମେଲାଇବା ପଛର କାରଣ? ସଂକ୍ରମିତ ଦେଶ ଓ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରବାସୀ ପ୍ରମୁଖ ସହରଗୁଡିକୁ ଆସୁଥିବାରୁ ଏଠାରେ ସଂକ୍ରମଣ ବଢୁଛି କି? ଏଠାରେ ଲକ୍‌ଡାଉନ କଟକଣାକୁ କଡ଼ାକଡ଼ି ପାଳନ କରାଯାଉ ନାହିଁ କି? ଲକ୍‌ଡାଉନ ଯୋଗୁଁ  ଫସିଥିବା ଶ୍ରମିକ କଟକଣା ନମାନି ଏଣେତେଣେ ଭିଡ଼ ଜମାଇବା ସଂକ୍ରମଣର କାରଣ ନୁହେଁ ତ?

ଏବେ ଆସନ୍ତୁ ନଜର ପକାଇବା ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ଦେଶର କେଉଁ ସହରଗୁଡିକ ପ୍ରଥମ ୧୦ଟି ସ୍ଥାନରେ ଅଛନ୍ତି।

ମୁମ୍ବାଇ ଟପ୍‌ରେ ଥିବା ବେଳେ ଦିଲ୍ଲୀ ଦ୍ୱିତୀୟ ଓ ଅହମ୍ମଦାବାଦ୍ ତୃତୀୟ ସ୍ଥାନରେ ରହିଛି। ଏମାନଙ୍କ ପଛକୁ ରହିଛନ୍ତି ଚେନ୍ନାଇ, ପୁନେ, ଥାନେ, ଇନ୍ଦୋର,ଜୟପୁର, ଯୋଧପୁର ଓ ସୁରତ। ଏସବୁ ସହରରେ ସ୍ଥିତି ଜଟିଳ ଥିବା ବେଳେ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଆସନ୍ତା ୧୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଦ୍ଧି ଶେଷ ହେଉଥିବା ବେଳେ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା ବଢ଼ିଛି।

 

You might also like