କରୋନା ସଙ୍କଟ ମଧ୍ୟରେ ପଙ୍ଗପାଳକୁ ନେଇ ଏବେ ଚିନ୍ତା, ହାଇ ଆଲର୍ଟରେ ପଞ୍ଜାବ

ନୂଆଦିଲ୍ଲୀ: ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଥିବାବେଳେ ପଙ୍ଗପାଳକୁ ନେଇ ଚିନ୍ତା ଆହୁରି ବଢ଼ି ଯାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହରିଆଣା ପରେ ଏବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଞ୍ଜାବରେ ପଙ୍ଗପାଳକୁ ନେଇ ଆତଙ୍କ ଦେଖାଦେଇଛି।

ମହାରାଷ୍ଟ୍ରର ଭଣ୍ଡାରା ଅଞ୍ଚଳରେ ଅନେକ ଜମିରେ ଏହି ପଙ୍ଗପାଳ ମାନେ ଫସଲ ନଷ୍ଟ କରି ଦେଇଛନ୍ତି। ସେମାନଙ୍କୁ ମାରିବା ପାଇଁ ମେସିନ୍‌ ମାଧ୍ୟମରେ କୀଟନାଶକ ସିଞ୍ଚନ କରାଯାଉଛି। ଏପରିକି କିଛି ଲୋକ ବାଜା ବଜାଇ ପଙ୍ଗପାଳଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।

ପଙ୍ଗପାଳକୁ ନେଇ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋଲ୍‌ ରୁମ୍‌ ସ୍ଥାପନ କରାଯିବା ସହ କୃଷକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପଙ୍ଗପାଳକୁ ନେଇ କୌଣସି ସମସ୍ୟା ସୃଷ୍ଟି ହେଲେ ସେ ସମ୍ପର୍କରେ ସୂଚନା ଦେବାପାଇଁ କୃଷକମାନଙ୍କୁ କୁହାଯାଇଛି।

ପୂର୍ବରୁ ରାଜସ୍ଥାନର ୨୦ଟି ଜିଲ୍ଲା, ମଧ୍ୟପ୍ରଦେଶର ୯ଟି ଜିଲ୍ଲା, ଗୁଜରାଟର ୨ଟି ଏବଂ ଉତ୍ତରପ୍ରଦେଶ ଓ ପଞ୍ଜାବର ଗୋଟିଏ ଲେଖାଏ ଜିଲ୍ଲାରେ ପଙ୍ଗପାଳ ଆତଙ୍କ ଦେଖିବାକୁ ମିଳିଥିଲା। ପ୍ରଭାବିତ ରାଜ୍ୟମାନଙ୍କର ୩୦୩ଟି ସ୍ଥାନରେ ୪୭ହଜାରରୁ ଅଧିକ ହେକ୍ଟର ପରିମିତ ଅଞ୍ଚଳରେ କୀଟନାଶକ ସିଞ୍ଚନ କରାଯାଇଛି। ପରିସ୍ଥିତିକୁ ଦେଖି ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସ୍ଥିତିର ସମୀକ୍ଷା କରିଛନ୍ତି।

ପଙ୍ଗପାଳମାନଙ୍କୁ ମାରିବା ପାଇଁ ବ୍ରିଟେନରୁ ଆସନ୍ତା ୧୫ ଦିନ ମଧ୍ୟରେ ଉନ୍ନତମାନର ୧୫ଟି ସିଞ୍ଚନ ମେସିନ୍‌ ମଗାଯିବ। ଏଥିସହ ଡ୍ରୋନ୍ ଓ ହେଲିକପ୍ଟର ଦ୍ୱାର ଆକାଶ ମାର୍ଗରୁ କୀଟନାଶକ ସିଞ୍ଚନ ପାଇଁ ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି। 

You might also like