ଭାରତରେ କମୁଛି କରୋନା ମୃତ୍ୟୁହାର

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପି ଚାଲିଛି। କିନ୍ତୁ ଏହା ମଧ୍ୟରେ ଆଶ୍ୱସ୍ତିକର କଥା ହେଉଛି ଯେ ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାସକ ତଳେ ଦେଶରେ କୋଭିଡ୍-୧୯ ମୃତ୍ୟୁ ହାର ୨.୮୨ ପ୍ରତିଶତ ଥିଲା, କିନ୍ତୁ ଏହା ଏବେ ୨.୭୨ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍।

ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି, ଦେଶର ମୃତ୍ୟୁ ହାର ତୁଳନାରେ ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ହାର କମ୍ ରହିଛି। ଏହାସହ ଦେଶରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇଛି ଏବଂ ଶୁକ୍ରବାର ସୁଦ୍ଧା ଏହା ୬୨.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ସହଯୋଗ ଓ ଗାଇଡଲାଇନ୍ ଦ୍ୱାରା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବୃଦ୍ଧ ବ୍ୟକ୍ତି ଓ ବିଭିନ୍ନ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଅନେକ ପଦକ୍ଷେପ ଉଠାଇଛନ୍ତି ଏବଂ ସେମାନଙ୍କୁ ବିଶେଷ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି।

ଦେଶ ତୁଳନାରେ ଯେଉଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ହାର କମ୍ ରହିଛି, ସେହି ରାଜ୍ୟ ଗୁଡ଼ିକ ମଧ୍ୟରେ କେରଳ (୦.୪୧%), ଝାଡ଼ଖଣ୍ଡ (୦.୭୧%), ବିହାର (୦.୮୨%), ତେଲେଙ୍ଗାନା (୧.୦୭%), ତାମିଲନାଡୁ (୧.୩୯%), ହରିୟାଣା (୧.୪୮%), ରାଜସ୍ଥାନ (୨.୧୮%), ପଞ୍ଜାବ (୨.୫୬%) ଓ ଉତ୍ତର ପ୍ରଦେଶ (୨.୬୬%) ସାମିଲ୍ ଅଛି। ମଣିପୁର, ନାଗାଲାଣ୍ଡ, ଦାଦରା ଓ ନାଗର ହାଭେଲୀ ଏବଂ ଡାମନ ଓ ଡିଉ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦୀପ, ସିକ୍କିମରେ ମୃତ୍ୟୁ ହାର ଶୂନ ରହିଛି।

୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ଏଥିରେ ପଶ୍ଚିମବଙ୍ଗ (୬୪.୯୪%), ଉତ୍ତର ପ୍ରଦେଶ (୬୫.୨୮%), ଓଡ଼ିଶା (୬୬.୧୩%), ଝାଡ଼ଖଣ୍ଡ (୬୮.୦୨%), ପଞ୍ଜାବ (୬୯.୨୬%), ବିହାର (୭୦.୭୨%), ମଧ୍ୟପ୍ରଦେଶ (୭୪.୮୫%), ହରିୟାଣା (୭୪.୯୧%), ରାଜସ୍ଥାନ (୭୫.୬୫%) ଓ ଦିଲ୍ଲୀ (୭୬.୮୧%) ସାମିଲ୍ ଅଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଭାରତରେ ୨୪ ଘଣ୍ଟା ଭିତରେ ରେକର୍ଡ ୨୬,୫୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨ରେ ପହଞ୍ଚିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୪୭୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୨୧,୬୦୪ରେ ପହଞ୍ଚିଛି। ତେବେ ୨୪ ଘଣ୍ଟାରେ ୧୯,୧୩୮ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

You might also like