ବାଘ ଗଣନାରେ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ

ନୂଆଦିଲ୍ଲୀ: ବାଘ ଗଣନାରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ। ୨୦୧୮-୧୯ ମସିହାରେ ଭାରତରେ ଥିବା ବାଘଙ୍କୁ ନେଇ ଏହି ଗଣନା କରାଯାଇଥିଲା। ବିଶ୍ୱର ସର୍ବ ବୃହତ ଅନ୍-କ୍ୟାମେରା ବନ୍ୟପ୍ରାଣୀ ସର୍ଭେ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ନାଁ ଲିପିବଦ୍ଧ କରିଛି ଭାରତ।

୨୦୧୮ରେ ଚତୁର୍ଥ ପର୍ଯ୍ୟାୟ ସର୍ବଭାରତୀୟ ବ୍ୟାଘ୍ର ଗଣନା ଅନୁଯାୟୀ ଦେଶର ସମୁଦାୟ ବାଘ ସଂଖ୍ୟା ୨,୯୬୭ ଥିଲା। ଯାହା ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୫ ପ୍ରତିଶତ। ବିଶ୍ୱର ସର୍ବବୃହତ କ୍ୟାମେରା ଟ୍ରାପ ଦ୍ୱାରା ଏହି ବନ୍ୟପ୍ରାଣୀ ସର୍ଭେ ହୋଇଥିଲା। ଏଥିପାଇଁ ୧୪୧ଟି ସ୍ଥାନର ୨୬,୮୩୮ ଅଞ୍ଚଳରେ କ୍ୟାମେରା ବ୍ୟବହୃତ ହୋଇଥିଲା। ୧ ଲକ୍ଷ ୨୧ ହଜାର ୩୩୭ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ସର୍ଭେ ପରିସରକୁ ଆସିଥିଲା। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଦେଶରେ ବାଘ ସଂଖ୍ୟା ଦୁଇ ଗୁଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଲକ୍ଷ୍ୟ ୪ ବର୍ଷ ଆଗରୁ ପୂରଣ ହୋଇଥିବା ଜାଭଡେକର କହିଛନ୍ତି।

You might also like