ଭାରତୀୟଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକ୍ସିନ
ନୂଆଦିଲ୍ଲୀ: ଋଷିଆ କରୋନା ଭ୍ୟାକ୍ସିନ ଆବିଷ୍କାର କରିସାରିଥିବା ବେଳେ ବ୍ରିଟେନ୍ର ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ ଉପରେ ସାରା ବିଶ୍ୱର ଆଶା ରହିଛି। ଏହାକୁ ଭାରତରେ ଉତ୍ପାଦନ କରିବା ପାଇଁ ମଧ୍ୟ ପୂର୍ବରୁ ସିରମ ଇନଷ୍ଟିଟ୍ୟୁଟ୍କୁ ଅନୁମିତ ମିଳିସାରିଛି।
ଏବେ ଏହି ଭ୍ୟକ୍ସିନ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। କେନ୍ଦ୍ର ସରକାର ସେରମ ଇନଷ୍ଟିଟ୍ୟୁଟ୍ ଠାରୁ ଭ୍ୟାକ୍ସିନ କିଣି ଲୋକଙ୍କୁ ମାଗଣାରେ ଦେବାକୁ ଯୋଜନା କରୁଥିବା କୁହାଯାଉଛି।
ଜାତୀୟ ଗଣମଧ୍ୟମ ଆଜ୍ ତକ୍ର ଏକ ରିପୋର୍ଟ ଅନୁସାରେ, ସରକାର ସିରମ ଇନ୍ଷ୍ଟିଟ୍ୟୁଟ୍ ଠାରୁ ଭ୍ୟାକ୍ସିନ୍ କିଣି ଲୋକଙ୍କ ମାଗଣା ଯୋଗାଇବାକୁ ଯୋଜନା କରୁଛନ୍ତି। ତା ସହିତ ଭ୍ୟକ୍ସିନ୍ର ପରୀକ୍ଷଣ ପ୍ରକ୍ରିୟା ତୁରନ୍ତ ସାରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଭ୍ୟାକ୍ସିନ୍ ପରୀକ୍ଷଣ ସଫଳ ହେଲେ ରାଷ୍ଟ୍ରୀୟ ଟୀକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଭ୍ୟାକ୍ସିନକୁ ମାଗଣା ବଣ୍ଟନ କରିବାକୁ ଯୋଜନା କରିଥିବା ରିପୋର୍ଟରେ କୁହାଯାଇଛି।
ସୂଚନା ଥାଉକି, ଅକ୍ସଫୋର୍ଡ ଭ୍ୟାକ୍ସିନ୍କୁ ଉତ୍ପାଦନ କରିବା ପାଇଁ ବ୍ରିଟେନ୍ର ଏଷ୍ଟ୍ରେଜେନିକା କମ୍ପାନୀକୁ ଅନୁମତି ମିଳିଛି। ତେବେ ଭାରତରେ ଏହାର ଉତ୍ପାଦନ ପାଇଁ ଏଷ୍ଟ୍ରେଜେନିକା ସହିତ ଚୁକ୍ତି କରିଛି ସିରମ ଇନ୍ଷ୍ଟିଟ୍ୟୁଟ୍। ଏହି ଚୁକ୍ତି ଅନୁସାରେ କେବଳ ଭାରତରେ ନୁହେଁ ଅନ୍ୟ ୯୨ ଦେଶରେ ମଧ୍ୟ ଉତ୍ପାଦିତ ଭ୍ୟାକ୍ସିନ୍ ସପ୍ଲାଏ କରିବା ସିରମ। ଭାରତରେ ଏହି ଭ୍ୟାକ୍ସିନ୍ covishield ନାମରେ ଉତ୍ପାଦନ ହୋଇଛି।
ସିରମ ଇନ୍ଷ୍ଟିଟ୍ୟଟ୍କୁ ବିଶ୍ୱର ସବୁଠାରୁ ବଡ଼ ଭ୍ୟାକ୍ସିନ୍ ଉତ୍ପାଦନକାରୀ ସଂସ୍ଥା କୁହାଯାଇଥାଏ। ଏହା ମହାରାଷ୍ଟ୍ରର ପୁଣେଠାରେ ରହିଛି। ୧୫୦ ଏକର ଜମିରେ ଏହାର କ୍ୟାମ୍ପସ ରହିଛି। ତେବେ ନିର୍ଦ୍ଧାରତ ଲକ୍ଷ୍ୟ ଅନୁସାରେ ୭୨ ଦିନରେ ଭିତରେ covishield ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି।
ଶନିବାର covishieldର ୩ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରଥମ ଖୁରାକ ଦିଆଯାଇଛି। ଦ୍ୱିତୀୟ ଖୁରାକ ୨୯ ଦିନ ପରେ ଦିଆଯିବ। ଏହାର ୧୫ ଦିନ ପରେ ପରୀକ୍ଷଣର ଫଳାଫଳ ଆସିବ। ଯଦି ସବୁକିଛି ଠିକ୍ଠାକ୍ ରହେ ତେବେ ୭୨ ଦିନରେ କରୋନା ଭ୍ୟାକ୍ସିନ୍ ଭାରତରେ ଉପଲବ୍ଧ ହେବ ବୋଲି ରିପୋର୍ଟରେ କୁହାଯାଇଛି।