କାଲିଠୁ ଗଡ଼ିବ ପାସେଞ୍ଜର ଟ୍ରେନ୍‌, ଆଜିଠୁ ବୁକିଂ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବ।  କାଲିଠୁ ପର୍ଯ୍ୟାୟ କ୍ରମେ ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଆଜି ଅପରାହ୍ଣ ୪ଟାରୁ ବୁକିଂ ଆରମ୍ଭ ହେବ।

କେବଳ IRCTC ୱେବ୍‌ସାଇଟ୍‌ରେ ହିଁ ଟିକେଟ୍‌ ବୁକିଂ ସୁବିଧା ଉପଲ୍ଲବ୍ଧ ହେବ। ଏଥିପାଇଁ ରେଲ୍‌ୱେ ଷ୍ଟେସନରେ ଥିବା ଟିକେଟ୍‌ କାଉଣ୍ଟର ଖୋଲିବ ନାହିଁ। ଏପରିକି ପ୍ଲାଟ୍‌ଫର୍ମ ଟିକେଟ୍‌ ସମେତ କାଉଣ୍ଟର ଟିକେଟ୍‌ ମଧ୍ୟ ବନ୍ଦ ରହିବ।

ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ରାଜଧାନୀ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ୧୫ଟି ସହରକୁ ଏହି ଯାତ୍ରୀବାହୀ ଟ୍ରେନ୍ ସେବା ଯୋଗାଇ ଦିଆଯିବ। ଦିଲ୍ଲୀ, ଭୁବନେଶ୍ୱର ବ୍ୟତୀତ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ହାଓ୍ୱଡା, ରାଞ୍ଚି, ବିଳାଶପୁର, ପାଟନା, ସିକନ୍ଦରାବାଦ, ଦିବ୍ରୁଗଡ଼, ଅଗରତାଲା, ଥିରୁଭନନ୍ତପୁରମ୍ ଓ ଜାମ୍ମୁର ତାଓ୍ୱି ସହରକୁ ଟ୍ରେନ୍‌ ଚଳାଚଳ କରିବ।

ଯାତ୍ରୀମାନେ ଯାତ୍ରା କରିବାବେଳେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଟ୍ରେନ୍ ଛାଡ଼ିବା ସ୍ଥାନରେ ଯାତ୍ରୀଙ୍କ ସ୍କ୍ରିନିଂ ଟେଷ୍ଟ ସହ କେବଳ କରୋନା ଲକ୍ଷଣ ନ ଥିବା ଯାତ୍ରୀ ହିଁ ଟ୍ରେନରେ ଯାତ୍ରା କରିପାରିବେ। ଏହି ଟ୍ରେନ୍ ସେବାର ଟାଇମିଂ ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like