୩୧ ଯାଏ ଗଡ଼ିବନି କୌଣସି ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ୩୧ ମଧ୍ୟରାତ୍ର ଯାଏ ଦେଶରେ ଗଡ଼ିବନି କୌଣସି ଟ୍ରେନ୍।  କରୋନା ଭାଇରସ ସଂକ୍ରମଣ ମୁକାବିଲା ପାଇଁ ଭାରତୀୟ ରେଲୱେ ବୋର୍ଡ ଏଭଳି ବଡ଼ ନିଷ୍ପତ୍ତି ନେଇଛି।

ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ବି ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ।

ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁ ଟ୍ରେନ୍ ଗୁଡ଼ିକ ଆଜି ଭୋର୍ ୪ଟାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବେ କେବଳ ସେହି ଟ୍ରେନ୍ ଗୁଡ଼ିକ ଯାତ୍ରା କରିବ ବୋଲି ରେଲୱେ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି।

ରେଲୱେର ଏ ନିଷ୍ପତ୍ତି ପରେ ଦେଶରେ ପ୍ରାୟ ୧୨ ହଜାର ଟ୍ରେନ୍ ବନ୍ଦ ରହିବ। ଏହା ପୂର୍ବରୁ ଭାରତୀୟ ରେଲୱେ ପକ୍ଷରୁ ଯାତ୍ରୀଙ୍କ ପାଇଁ ଟିକେଟ୍ ବାତିଲ ପାଇଁ ଫି କାଟ୍ ବ୍ୟବସ୍ଥାକୁ ଉଠାଇ ଦେଇଥିଲା।

ଗତ ୧୩ରୁ ୧୬ ତାରିଖ ମଧ୍ୟରେ ଟ୍ରେନରେ ଯାତ୍ରା କରିଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଭାରତୀୟ ରେଲ୍‌ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

You might also like