୪୦୦୨ କୋଭିଡ୍ କୋଚ୍ ପ୍ରସ୍ତୁତ କରିସାରିଲାଣି ରେଳ ବିଭାଗ, ୧୦୦୦ କୋଟି ଖର୍ଚ୍ଚ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ପଜିଟିଭ ମାମଲା ଦ୍ରୁତଗତିରେ ବଢ଼ୁଥିବା ହେତୁ ଏଥିପାଇଁ ପୁରା ଦେଶବାସୀ ଚିନ୍ତାରେ ପଡ଼ିଯାଇଛନ୍ତି। ଭ୍ୟାକ୍ସିନ ନେବା ପରେ ମଧ୍ୟ ସଂକ୍ରମଣ ମାମଲା ଥମିବାର ନାଁ ଧରୁନି। ତେବେ ଏଭଳି ପରିସ୍ଥିତିରେ ଭାରତୀୟ ରେଳ ବିଭାଗ ପକ୍ଷରୁ କୋଭିଡ ରୋଗୀଙ୍କ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇସାରିଛି। ୪୦୦୨ଟି କୋଚକୁ ରେଳ ବିଭାଗ କୋଭିଡ ରୋଗୀଙ୍କ ଦେଖାଶୁଣା ପାଇଁ ପ୍ରସ୍ତୁତ କରିଛି। ଏହି କୋଚଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କରୋନା କୋଚ ଭାବେ ପରିବର୍ତ୍ତନ କରାଯାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ କରୋନା ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ସଂକ୍ରମଣ ଏଠାରେ ବିଜୁଳି ବେଗରେ ମାଡ଼ିଯାଉଛି। ଏହାକୁ ନେଇ ମାହାରାଷ୍ଟ୍ର ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ମେଡିକାଲରେ ବେଡ୍ ସଂଖ୍ୟା ମଧ୍ୟ ଅଭାବ ହେଲାଣି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ରେଲୱେ ୨୧ଟି ଆଇସୋଲେସନ ଟ୍ରେନ କୋଚ ପ୍ରଦାନ କରିଛନ୍ତି। ଏଭଳି ସ୍ଥିତିରେ ଦିଲ୍ଲୀ ସରକାର ମଧ୍ୟ କୋଭିଡ କୋଚ୍ ଦାବି କରିଛନ୍ତି। ଆନନ୍ଦ ବିହାର ଏବଂ ଶକୁର ବସ୍ତିରେ ଏହି କୋଚଗୁଡ଼ିଙ୍କୁ ନିୟୋଜିତ କରିବାକୁ ଦିଲ୍ଲୀ ସରକାର କହିଛନ୍ତି।

କୋଭିଡ କୋଚ ପାଇଁ ଗତ ବର୍ଷ ରେଳ ବିଭାଗ ଅନେକ ସ୍ଲିପର ବଗି ଓ ଜେନେରାଲ ବଗିକୁ ପରିବର୍ତ୍ତନ କରିଥିଲା। ଏଥିରେ ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଯନ୍ତ୍ରପାତି ମଧ୍ୟ ଖଞ୍ଜା ଯାଇଥିଲା। ତେବେ ଟ୍ରେନ ଭିତରେ ରୋଗୀଙ୍କୁ ଅଧିକ ସମୟ ରଖିବା ସମ୍ଭବ ହୋଇନଥିଲା। କାରଣ ଏଠାରେ ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା। ଅତ୍ୟଧିକ ଗରମରେ ରୋଗୀଙ୍କୁ ରଖିବା ଅଧିକ ବିପଦଜ୍ଜନକ ହୋଇପାରେ ବୋଲି ସେତେବେଳେ କୁହାଯାଇଥିଲା। ତେଣୁ ଚଳିତ ଥର ଏଭଳି କୋଚର ଅଧିକ ଆବଶ୍ୟକତା କାହାରିକୁ ପଡ଼ିନାହିଁ।

ଗତ ବର୍ଷ କୋଭିଡ୍ କୋଚର ଚାହିଦା ନଥିଲା

ଗତ ବର୍ଷ ଏଭଳି ୨୦୦ କୋଚ୍ କିଛି ଦିନ ପାଇଁ ବ୍ୟବହୃତ ହୋଇଥିଲା। ରେଲୱେର ଏହି କୋଚ୍ ମଧ୍ୟରୁ କିଛି ପୂର୍ବ ଉତ୍ତରପ୍ରଦେଶର ମାଉ, ବିହାରର ଭାଗଲପୁର, ଦିଲ୍ଲୀର ଶକୁରବସ୍ତି ଏବଂ ଆନନ୍ଦ ବିହାର ଭଳି ଷ୍ଟେସନରେ ସ୍ଥାପିତ କରାଯାଇଥିଲା। କିଛି ସ୍ଥାନରେ ଏଗୁଡ଼ିକର ବ୍ୟବହାର ମଧ୍ୟ କରାଯାଇଥିଲା। ସେତେବେଳେ ମଧ୍ୟ କୋଭିଡ କୋଚଗୁଡିକର ବହୁ ପରିମାଣରେ ବ୍ୟବହୃତ ହେଉନଥିଲା।

କୋଚ୍ ପ୍ରସ୍ତୁତ କରିବା ପାଇଁ ହଜାରେ କୋଟି ଖର୍ଚ୍ଚ !

ସୂଚନାନୁସାରେ, ରେଳ ବିଭାଗ ୪୦୦୦ କୋଭିଡ କୋଚ ପ୍ରସ୍ତୁତି ପାଇଁ ପ୍ରାୟ ୧୦୦୦ କୋଟି ଖର୍ଚ୍ଚ କରିଛି। କିନ୍ତୁ ବର୍ତ୍ତମାନ ସମୟରେ ଏହାର ଚାହିଦା କୌଣସି ସ୍ଥାନରୁ ଆସିନାହିଁ। ରେଳବାଇ ଏହି କୋଚଗୁଡ଼ିକୁ ଦେଶର ସମସ୍ତ ୧୬ଟି ଜୋନର ଅଲଗା ଅଲଗା ସହରରେ ନିୟୋଜିତ କରିଛି। କାରଣ ଯଦି ଆବଶ୍ୟକ ପଡ଼େ ଏହାକୁ ତୁରନ୍ତ ବ୍ୟବହାର କରାଯାଇପାରିବ।

You might also like