ଟ୍ୱିଟ କରି ମହିଳାଙ୍କୁ ସାହାଯ୍ୟ କଲେ ଅରୁଣ ବୋଥ୍ରା, ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିଲା ଓଟ କ୍ଷୀର

ଜୟପୁର: ରାଜସ୍ଥାନରୁ ମୁମ୍ବାଇ ଗଲା ୨୦ ଲିଟର୍ ଓଟ କ୍ଷୀର। ଲକ୍ ଡାଉନ୍ ବେଳେ ସ୍ୱତନ୍ତ୍ର ଭାବେ ରେଳ ବିଭାଗ ପକ୍ଷରୁ ଏହି କ୍ଷୀରକୁ ରାଜସ୍ଥାନରୁ ଆଣି ମୁମ୍ବାଇରେ ପହଞ୍ଚାଯାଇଛି । ଏଠି ସାଧାରଣ ଭାବେ ଏକ ପ୍ରଶ୍ନ ଉଠେ, ରେଳବାଇ ୨୦ ଲିଟର କ୍ଷୀରକୁ କାହିଁକି ଏତେ ଗୁରୁତ୍ୱ ଦେଇ ମୁମ୍ବାଇ ଆଣିଲା ?  ହଁ, ଏହି ପ୍ରଶ୍ନର ଉତ୍ତର ଖାଲି ଆଶ୍ଚର୍ଯ୍ୟଜନକ ନୁହେଁ, ଖୁବ୍‌ ମର୍ମସ୍ପର୍ଶୀ ମଧ୍ୟ। ଗୋଟିଏସାଢେ ୩ ବର୍ଷ ଶିଶୁର ଜୀବନ ବଞ୍ଚାଇବା ପାଇଁ ରେଳବାଇ ୨୦ ଲିଟର କ୍ଷୀର ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚାଇବାର ଏପରି ବ୍ୟବସ୍ଥା କରିଛି। ଘଟଣାଟି ଏମିତି।

ମୁମ୍ବାଇରେରହୁଥିବା ନେହା କୁମାରୀଙ୍କ ପୁଅ ଅଟିଷ୍ଟିକ୍‌ ପୀଡିତ। ତେଣୁ ସେ କେବଳ ଓଟ କ୍ଷୀର ଓ କିଛି ଡାଲି ଖାଇଥାଏ। ଗାଈ, ଛେଳି କ୍ଷୀର ସେ ଖାଇ ନ ଥାଏ। ତେବେ ଲକ୍‌ଡାଉନ ଯୋଗୁ ଏବେ ଓଟ କ୍ଷୀର ମିଳିବାରେ ବ୍ୟାପକ ସମସ୍ୟା ଦେଖାଦେଇଛି । ଏପରି ସ୍ଥିତିରେ  ପୁଅର ଜୀବନ ବଞ୍ଚାଇବା ପାଇଁ ନେହା କୌଣସି ଉପାୟ ପାଇ ନ ଥିଲେ। ଶେଷରେ ସେ  ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟ୍‌ କରି ସାହାଯ୍ୟ ମାଗିଲେ।

ଏହି ଟ୍ୱିଟ୍‌ର ଜବାବ ଦେଇଥିଲେ ଓଡିଶା କ୍ୟାଡର ଆଇପିଏସ୍‌ ତଥା  ସେସୁର CEO ଅରୁଣ ବୋଥ୍ରା। ମହିଳାଙ୍କୁ ସହାୟତା କରିବା ସହ ଏନେଇ ସେ ରେଲୱେ  ଉତ୍ତର ପଶ୍ଚିମ ସିପିଟିଏମଙ୍କୁ  ଜଣାଇଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ଓଟ କ୍ଷୀର ପହଞ୍ଚାଇବାର ପୁରା ଅପରେସନ୍। ଲୁଧିଆନାରୁ ବାନ୍ଦ୍ରା ଆସୁଥିବା  ମାଲବାହୀ ଟ୍ରେନରେ  ଏହାକୁ ମୁମ୍ବାଇ ଆଣିବାକୁ ଯୋଜନା କରାଯାଇଥିଲା। ହେଲେ କ୍ଷୀର ପହଞ୍ଚାଇବାକୁ ରାଜି ହୋଇଥିବା ଡିଲର କେବଳ ଅଜମେର ନିକଟ ଫାଲନା ଷ୍ଟେଶନ ଯାଏ ଏହାକୁ ପହଞ୍ଚାଇ ପାରିବେ ବୋଲି ଜଣାଇଥିଲେ। ଏହାପରେ ରେଳ ବିଭାଗ ପକ୍ଷରୁ ମାଲବାହୀ ଟ୍ରେନକୁ ଅଜମେର୍ ନିକଟ ଫାଲନା ଷ୍ଟେସନ୍ରେ କିଛି ସମୟ ପାଇଁ ଅଟକା ଯାଇଥିଲା।

ଶେଷରେ ୨୦ ଲିଟର କ୍ଷୀର ମୁମ୍ବାଇର ନେହାଙ୍କ ପାଖରେ ପହଞ୍ଚା ଯାଇଥିଲା।

You might also like