କ’ଣ ପୁଣିଥରେ ଗଡ଼ିବ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟାସତ୍ୟ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା କେସ୍‌ ଅଧିକ ରେକର୍ଡ କରାଯାଉଛି। ଏସବୁ ଭିତରେ ଏକ ଖବର ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭାରତୀୟ ରେଲ୍‌ୱେ ପୁଣିଥରେ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍ (Shramik Special Trains)‌ ଚଳାଚଳ ପାଇଁ ଯୋଜନା କରୁଛି ବୋଲି ‌ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର ଭାଇରାଲ୍‌ ହେଉଛି।

ଆସନ୍ତୁ, ଜାଣିବା ଭାଇରାଲ୍‌ ଖବର ପଛର ପ୍ରକୃତ ସତ୍ୟ କ’ଣ…

ଭାଇରାଲ୍‌ ହେଉଥିବା ଖବରକୁ ନେଇ ସେଣ୍ଟ୍ରାଲ୍‌ ରେଲ୍‌ୱେ ଜୋନ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି, କୌଣସି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍ ଚଳାଚଳ ପାଇଁ ରେଲ୍‌ୱେର ଯୋଜନା ନାହିଁ।

ଟ୍ୱିଟ୍‌ କରି ସେଣ୍ଟ୍ରାଲ୍‌ ରେଲ୍‌ୱେ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର ଭାଇରାଲ୍‌ ହେଉଛି ଯେ, ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଏଠାରେ ସ୍ପଷ୍ଟ କରାଯାଉଛି, ଏଭଳି କୌଣସି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରୁନାହିଁ କି ଏଭଳି କିଛି ଯୋଜନା ମଧ୍ୟ ନାହିଁ। କେବଳ ଖରାଦିନରେ ରେଲ୍‌ୱେ ପକ୍ଷରୁ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଯେଉଁମାନଙ୍କର ଟିକେଟ୍‌ କନଫର୍ମ ହୋଇଥିବ କେବଳ ସେମାନଙ୍କୁ ହିଁ ଏହି ସ୍ପେଶାଲ୍‌ ଟ୍ରେନ୍‌ରେ ଯାତ୍ରା ପାଇଁ ଅନୁମତି ମିଳିବ। ତେଣୁ ଦୟାକରି ଯାତ୍ରୀମାନେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଗୁଜବ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ। ନିଜର ଓ ଅନ୍ୟମାନଙ୍କର ସୁରକ୍ଷା ପାଇଁ କୋଡିଡ୍‌ ନିୟମକୁ ପାଳନ କରନ୍ତୁ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗତବର୍ଷ ଲକ୍‌ଡାଉନ୍‌ ବେଳେ ରେଲ୍‌ୱେ ପକ୍ଷରୁ ଅନେକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରିଥିଲା। ଲକ୍‌ଡାଉନ୍‌ରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ଗତବର୍ଷ ମେ’ ୧ରେ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରିଥିଲା। ରେଲ୍‌ୱେ ପକ୍ଷରୁ ୪ ହଜାରରୁ ଅଧିକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରିଥିଲା।

ଅନ୍ୟପକ୍ଷେ, ଦେଶରେ ଆଜି କରୋନା ଆକ୍ରାନ୍ତ ସଂଖ୍ୟା ଦେଢ଼ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ରେ ପହଞ୍ଚିଛି।

You might also like