ଅର୍ଥନୀତିରେ ଏମାନେ ପାଇବେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ, ଇଷ୍ଟର ଡୁଫଲୋ ଓ ମାଇକେଲ୍ କ୍ରେମରଙ୍କୁ ଏହି ପୁରସ୍କାର ଦିଆଯିବ। ଆଜି ରୟାଲ ସ୍ୱେଡିସ ଏକାଡେମୀ ପକ୍ଷରୁ ଏନେଇ ଘୋଷଣା କରାଯାଉଛି।

ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ସେମାନଙ୍କର ଗଠନ ମୂଳକ ପଦକ୍ଷେପ ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ। ପୂର୍ବରୁ ଭାରତର ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ଏବେ ଆମେରିକା ମିଟ୍‌ସ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି ଅଭିଜିତ।

ଅଭିଜିତଙ୍କ ସମ୍ପର୍କରେ ସଂକ୍ଷିପ୍ତରେ ଜାଣନ୍ତୁ-

ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ କୋଲକତା ବିଶ୍ୱ ବିଦ୍ୟାଳୟ, ଜବାହାର ଲାଲ ନେହରୁ ବିଶ୍ୱ ବିଦ୍ୟାଳୟ ଓ ହାଭାର୍ଡ ବିଶ୍ୱ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି। ୧୯୮୮ ମସିହାରେ ସେ ହାଭାର୍ଡରୁ ପିଏଚ୍‌ଡି ହାସଲ କରିଥିଲେ। ସେ ବର୍ତ୍ତମାନ ମାସାଚୁସେଟସ  ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍‌ନୋଲୋଜିରେ ପ୍ରଫେସର ଅଛନ୍ତି।

୨୦୦୩ ମସିହାରେ ସେ ଅବଦୁଲ ଲତିଫ୍ ଜମିଲ ପଭର୍ଟି ଆକ୍ସନ ଲାବ ପ୍ରତିଷ୍ଠା କରିଥିଲେ। ଅଭିଜିତ୍ ଆମେରିକା ଏକାଡେମୀ ଅଫ୍ ଆର୍ଟସ ଏଣ୍ଡ ସାଇନସର ଫେଲୋ ରହିଛନ୍ତି। ସେ ତିନିଟି ପୁସ୍ତକ ରଚନା କରିଛନ୍ତି।  ସେଗୁଡ଼ିକ ହେଲା- ହ୍ୱାଟ ଦ ଇକୋନୋମି ନିଡସ୍ ନାଓ, ପୁଅର ଇକୋନୋମିକସ୍  ଓ ମେକିଙ୍ଗ ଏଡ୍ ୱାର୍କ।

ଅଭିଜିତଙ୍କ ପତ୍ନୀ ଇଷ୍ଟର ଡୁଫଲୋ ମଧ୍ୟ ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଛନ୍ତି। ଅଭିଜିତଙ୍କ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସି କଲେଜରେ ଅଧ୍ୟାପନା କରୁଥିଲେ। ତାଙ୍କ ମାଆ ନିର୍ମଳା ବାନାର୍ଜୀ ମଧ୍ୟ ଜଣେ ଅର୍ଥନୀତି ବିଷାରଦ ଭାବେ ଖ୍ୟାତି ହାସଲ କରିଛନ୍ତି।

ତେବେ ଆଜିର ଏହି ଘୋଷଣା ପରେ ଚଳିତ ବର୍ଷର ସମସ୍ତ ନୋବୋଲ ପୁରସ୍କାର ଘୋଷଣା ହୋଇ ସାରିଛି। ପୂର୍ବରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ, ଶାନ୍ତି ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି।

You might also like