ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ତାଗିଦ୍‌-ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ଭାରତ ସରକାର ଟ୍ୱିଟରକୁ ତାଗିଦ୍‌ କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ହିଂସା ପାଇଁ ଉସୁକାଇଥିବା ହଜାରରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ୍‌ କରିଥିଲେ। କିନ୍ତୁ ଏହାକୁ ଟ୍ୱିଟର ପକ୍ଷରୁ ପାଳନ କରାଯାଇ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଭାରତୀୟ ଆଇନ୍‌କାନୁନ୍‌କୁ ମାନିବାକୁ ପଡ଼ିବ ଓ ଏହାକୁ ତତକ୍ଷଣାତ୍ ସମସ୍ତେ ପାଳନ କରିବା ଦରକାର। ଯଦି ଏହା ବିଳମ୍ବରେ କାର୍ଯ୍ୟକାରୀ ହୁଏ ତେବେ ଏହା ଅର୍ଥହୀନ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହାସହ ୱାଶିଂଟନ୍‌ କ୍ୟାପିଟଲ ହିଲ୍‌ ହିଂସା ଓ ଦିଲ୍ଲୀ ହିଂସାକୁ ନେଇ ଟ୍ୱିଟର ପକ୍ଷରୁ ପାତରଅନ୍ତର କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ, ଭାରତ ସରକାରଙ୍କ ତାଗିଦ୍‌ ପରେ ଟ୍ୱିଟର ପକ୍ଷରୁ ଉତ୍ତର ରଖାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶ ଭାରତୀୟ ଆଇନସଙ୍ଗତ ନୁହେଁ। ଦିଲ୍ଲୀରେ ହିଂସା ଉସୁକାଇଥିବା ଅଭିଯୋଗରେ ୫ଶହରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଛି। ବାକ୍ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବାକୁ ସାମ୍ବାଦିକ, ସାମାଜିକ କର୍ମୀ, ରାଜନୈତିକ ନେତା ମାନଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇନାହିଁ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, ହଜାରେରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଭାରତ ସରକାର କିଛିଦିନ ତଳେ ଟ୍ୱିଟରକୁ ନୋଟିସ୍‌ କରିଥିଲେ। ଏହି ଟ୍ୱିଟର ଆକାଉଣ୍ଟ ଗୁଡ଼ିକ ଚାଷୀ ଆନ୍ଦୋଳନ ନେଇ ଭୁଲ୍‌ ତଥ୍ୟ ଦେବା ସହ ଆନ୍ଦୋଳନକୁ ଆହୁରି ଉସୁକାଉଛନ୍ତି। ଏହି ସବୁ ଆକାଉଣ୍ଟ ପାକିସ୍ତାନୀ ଓ ତଥାକଥିତ ଖଲିସ୍ତାନୀଙ୍କ ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଭାରତ ସଙ୍ଗୀନ ଅଭିଯୋଗ ଆଣିଛି। ତେଣୁ ତୁରନ୍ତ ଏହି ସବୁ ଆକାଉଣ୍ଟ ଗୁଡ଼ିକ ବ୍ଲକ୍‌ କରିବା ପାଇଁ କୁହାଯାଇଥିଲା।

You might also like