ଦେଶରେ ବିଚାର ନହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା

ନ୍ୟାୟପାଳିକା ଉପରେ ବଢ଼ୁଛି ମାମଲା ବୋଝ

ନୂଆଦିଲ୍ଲୀ: ନ୍ୟାୟପାଳିକା ଉପରେ ବଢ଼ିଚାଲିଛି ମାମଲା ବୋଝ। ଦେଶରେ ବିଭିନ୍ନ କୋର୍ଟରେ ବିଚାର ନ ହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା। ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏଭଳି ଚିନ୍ତାଜନକ ତଥ୍ୟ ରଖିଛନ୍ତି। ମନ୍ତ୍ରୀଙ୍କ ଉତ୍ତର, ଦେଶର ନ୍ୟାୟପାଳିକାର ଦେବାଳିଆ ଚିତ୍ରକୁ ଉଜାଗର କରିଛି।

ଉତ୍ତର ପ୍ରଦେଶ ବିଚାରଧୀନ ମାମଲା କ୍ଷେତ୍ରରେ ସବୁଠୁ ଆଗରେ ଥିବା ବେଳେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ଜଜ୍‌ଙ୍କ ଅଭାବ ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି ମତ ରଖିଛନ୍ତି ଅବସରପ୍ରାପ୍ତ ବିଚାରପତି।

ଅଢ଼େଇ ବର୍ଷ ତଳେ ଦେଶରେ ନ୍ୟାୟପାଳିକାର ଦୁରବସ୍ଥା ବଖାଣିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ କାନ୍ଦି ପକାଇଥିଲେ ସେତେବେଳେର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଟି.ଏସ୍. ଠାକୁର। ୨୦୧୬ ଏପ୍ରିଲ୍ ୨୪ରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀରେ ନ୍ୟାୟ ବ୍ୟବସ୍ଥାର ଦୟନୀୟ ସ୍ଥିତି ବର୍ଣ୍ଣନା କରିବା ସହ ଏଥିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ।

ହେଲେ ଅଢ଼େଇ ବର୍ଷ ପରେ ବି ନ୍ୟାୟ ବ୍ୟବସ୍ଥାର ସ୍ଥିତି ସୁଧୁରିନି। ଦେଶର ବିଭିନ୍ନ କୋର୍ଟରେ ଏବେ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା। ଏଥି ମଧ୍ୟରୁ ଦଶ ବର୍ଷ ବା ତଦୁର୍ଦ୍ଧ ପୁରୁଣା ମାମଲାର ସଂଖ୍ୟା ହେଉଛି ୨୧ ଲକ୍ଷ ୯୦ ହଜାର।

ଉତ୍ତର ପ୍ରଦେଶରେ ସର୍ବାଧିକ ୮ଲକ୍ଷ ୨୯ ହଜାର ୧୨୮ଟି କେସ୍ ବିଚାର ନହୋଇ ପଡ଼ି ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିହାର। ଏଠାରେ ୩ ଲକ୍ଷ ୨୦ ହଜାର ୯୭୧ଟି ମାମଲା ବିଚାର ଅପେକ୍ଷାରେ ରହିଛି। ଏହି ତାଲିକାରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ କୋର୍ଟରେ ୧ ଲକ୍ଷ ୬୨ ହଜାର ୩୫୦ ମାମଲା ପଡ଼ି ରହିଛି।

ଏହାର ଏକ ଉଦାହରଣ ହେଲା ସମ୍ବଲପୁରର ବାସିନ୍ଦା ରମଣୀ ରଞ୍ଜନ ପ୍ରଧାନ। କେହି ଜଣେ ଚଞ୍ଚକତା କରି ରମଣୀଙ୍କ ପୈତୃକ ସଂପତ୍ତି ହଡ଼ପ କରିନେବା ପରେ ରମଣୀ କୋର୍ଟଙ୍କ ଶରଣ ପଶିଥିଲେ। ତେବେ ୧୯୮୮ ଅର୍ଥାତ୍ ୩୦ ବର୍ଷ ହେବ କଚେରୀ ଦୌଡ଼ି ଦୌଡ଼ି ସେ ଥକି ଗଲେଣି। ମାତ୍ର ମାମଲାର ସମାଧାନ ହେଉନି। ଏହାସତ୍ତ୍ୱେ ନ୍ୟାୟପାଳିକା ଉପରୁ ଆସ୍ଥା ହରାଇନାହାନ୍ତି ରମଣୀ।

ତେବେ କେବଳ ରମଣୀ ନୁହନ୍ତି, ଏମିତି ଲକ୍ଷ ଲକ୍ଷ ଲୋକ ନ୍ୟାୟ ଆଶାରେ ଅପେକ୍ଷା କରି ବସିଛନ୍ତି। କିଏ ବର୍ଷ ବର୍ଷ ଧରି ଜେଲ୍‌ରେ ସଢ଼ୁଛି ତ ଆଉ କିଏ ନ୍ୟାୟ ନପାଇ ଆରପାରିକୁ ଚାଲିଗଲେଣି।

କୋର୍ଟରୁ ମାମଲା ବୋଝ ଦୂର ଲାଗି ସୁପ୍ରିମ୍‌କୋର୍ଟରେ ଏରିଅର୍ କମିଟି ଗଠନ କରାଯିବା ସହ ୫ ବର୍ଷରୁ ଅଧିକ ପୁରୁଣା କେସ୍‌କୁ ପ୍ରାଥମିକତା ଭିତ୍ତିରେ ଫଇସଲା ଲାଗି କୁହାଯାଇଛି। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଖାଲି ଥିବା ବିଚାରପତି ପଦ ପୂରଣ ସାଙ୍ଗକୁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ମାମଲାର ଶାଘ୍ର ସମାଧାନ ଲାଗି ସରକାର ନ୍ୟାସନାଲ୍ ମିଶନ୍‌ ଫର୍‌ ଜଷ୍ଟିସ୍‌ ଡେଲିଭରି ଆଣ୍ଡ ଲିଗାଲ୍‌ ରିଫର୍ମସ ଗଠନ କରିଛନ୍ତି। ଏହାସତ୍ତ୍ୱେ ବକେୟା ମାମଲା ସମସ୍ୟା ବିରାଟ ବୋଝ ପରି ରହିଛି।

 

 

 

You might also like