୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା !

ନୂଆଦିଲ୍ଲୀ:ସୀମାନ୍ତରେ ଠୁଳ ହୋଇଛନ୍ତି ୧୩ ଲକ୍ଷ ଯବାନ। ସେନା ରକେଟ୍‌, ମିସାଇଲ୍‌, ଉଚ୍ଚକ୍ଷମତା ସମ୍ପନ୍ନ ଟ୍ୟାଙ୍କ ମଧ୍ୟ ରଖାଯାଇଛି। ଯେମିତି ୧୦ ଦିନ ଯୁଦ୍ଧ କରିବା ପାଇଁ ଏମାନେ ପ୍ରସ୍ତୁତ। ଆଗକୁ ଏମାନଙ୍କ ଶକ୍ତି ଆହୁରି ବୃଦ୍ଧି କରାଯିବ। ଯେମିତି ଏମାନେ ୪୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିପାରିବେ। ତେବେ  ସତରେ କ’ଣ ସୀମାନ୍ତରେ ଯୁଦ୍ଧ ଲାଗିଗଲା ?

ନାଁ, ଯୁଦ୍ଧ ଲାଗିନି, କିନ୍ତୁ ଯେ କୌଣସି ପରିସ୍ଥିତିରେ ଯୁଦ୍ଧକୁ ମୁକାବିଲା କରିବା ପାଇଁ ଏମାନେ ପ୍ରସ୍ତୁତ ହେଉଛନ୍ତି। ୨୦୨୨-୨୩ ସୁଦ୍ଧା ସେନାବାହିନୀକୁ ଅଧିକ ମଜବୁତ୍‌ କରିବା ଲକ୍ଷ ରଖି ଏପରି ପ୍ରସ୍ତୁତି ଚାଲିଛି।

ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି, ୧୦ ଦିନ ଯୁଦ୍ଧ କରିବା ପାଇଁ ସୀମାନ୍ତରେ ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଛି। ବିଶେଷ କରି ପଶ୍ଚିମ ସୀମା ପାଇଁ ଏସବୁ ପ୍ରସ୍ତୁତି କରାଯାଉଛି। କିନ୍ତୁ ଉଭୟ ପାକିସ୍ତାନ ଓ ଚୀନକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଛି । ଯୁଦ୍ଧ ପାଇଁ ଆବଶ୍ୟକ ଯେଉଁ ସାମଗ୍ରୀ କମ୍‌ ଥିଲା ତାହାକୁ ପୂରଣ କରି ଦିଆଯାଇଛି। ତଥାପି ୪୦ ଦିନ ଯୁଦ୍ଧ ପାଇଁ ପୂର୍ବରୁ ପ୍ରସ୍ତୁତି କରିବା ଅତ୍ୟନ୍ତ ବ୍ୟୟ ବହୁଳ। ଏଥିପାଇଁ ୧୨,୮୯୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ତେଣୁ ୨୪ଟି କମ୍ପାନୀ ସହ ଚୁକ୍ତି ହୋଇଛି ଯାହା ପାଇପ୍‌ଲାଇନରେ ରହିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ଟି ବିଦେଶୀ କମ୍ପାନୀ ।

୪୦ ଦିନର ଅସ୍ତ୍ରଶସ୍ତ୍ର ମହଜୁଦ ପାଇଁ ଆବଶ୍ୟକ ସରଂଜାମ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ବ୍ୟୟବହୁଳ। ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ବିଚାର କରିଛି ଯେ, ୨୦୨୨-୨୩ ପରେ ୧୦ ବର୍ଷ ପର୍ଯ୍ୟନ୍ତ ଘରୋଇ ଓ ବିଦେଶୀ କମ୍ପାନୀ ସହ ମିଶି ୮ଟି ଅଲଗା ଅଲଗା ଶୈଳୀରେ ଟ୍ୟାଙ୍କର, ଆର୍ଟିଲେରୀ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ତିଆରି କରି ହେବ, ଯାହାର ମୂଲ୍ୟ ୧୭୦୦ କୋଟି ଟଙ୍କା ବାର୍ଷିକ ରହିଛି।

ସୂଚନାଯୋଗ୍ୟ, ବିଗତ କିଛି ବର୍ଷ ହେବ ସେନା, ଟ୍ୟାଙ୍କର ପାଖରୁ ଆରମ୍ଭ କରି ଏୟାର ଡିଫେନ୍ସ ୟୁନିଟ ଯାଏ ଅସ୍ତ୍ରଶସ୍ତ୍ର କମ୍ ରହିଥିବା ନେଇ ଅନେକ ପ୍ରଶ୍ନର ସାମ୍ନା କରିଛି। ବିଭିନ୍ନ ସଂସଦୀୟ ଟିମ୍ ଏବଂ ସିଏଜି ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଥିଲା ଯେ, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡ଼କୁ ଆସିଛି ସେନା। ଏବେ ଜଳ, ସ୍ଥଳ ଏବଂ ବାୟୁ ତିନି ସେନା ସଶକ୍ତ ହେଉଛି।

You might also like