କରୋନାର ତୃତୀୟ ଲହରରେ ପିଲାଙ୍କ ପାଇଁ ବିଶେଷ ବିପଦ ନାହିଁ-ଆଇଏପି

ନୂଆଦିଲ୍ଲୀ: ଆଇଏପି ((Indian Academy of Pediatrics) ପକ୍ଷରୁ ନିକଟରେ ଏକ ଆଡଭାଇଜରି ଜାରି କରାଯାଇ କୁହାଯାଇଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ । ପିଲାମାନଙ୍କର ଇମ୍ୟୁନ ସିଷ୍ଟମ ଖୁବ୍‌ ମଜବୁତ୍‌ । ପ୍ରଥମ ଓ ଦ୍ଵିତୀୟ ଲହରରୁ ମିଳିଥିବା ତଥ୍ୟକୁ ଦେଖିଲେ ଜଣାପଡେ, ଯଦି କରୋନାର ତୃତୀୟ ଲହର ଆସେ, ତେବେ ଗୁରୁତର ସଂକ୍ରମିତ ପିଲାମାନଙ୍କ ପାଇଁ ଆଇସିୟୁର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଯଦି ତୃତୀୟ ଲହର ଆସେ ତେବେ ଯେଉଁ ପିଲାମାନଙ୍କର ଇମ୍ୟୁନିଟି ଦୁର୍ବଳ ସେମାନଙ୍କ ପାଖରେ ସଂକ୍ରମଣ ଭୟ ଅଧିକ।

କରୋନାର ତୃତୀୟ ଲହର ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । କାରଣ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ଇତି ମଧ୍ୟରେ ଦେଶର ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟ୍ରିକ୍ସ କହିଛି, ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ପିଲା ହାଲକା ଭାବେ ସଂକ୍ରମିତ ହେଉଛନ୍ତି କିମ୍ବା ଆସିମ୍‌ଟୋମାଟିକ ରହୁଛନ୍ତି । ଏମିତି କହି ହେବନି ଯେ, କରୋନାର ତୃତୀୟ ଲହର ପିଲାମାନଙ୍କୁ ପ୍ରଭାବିତ କରିବ ।
ଆଇଏପି ଏକ ଆଡଭାଇଜରି ଜାରି କରି କହିଛି, ବର୍ତ୍ତମାନ ସୁଦ୍ଧା ବହୁତ କମ୍‌ ସଂଖ୍ୟକ ପିଲା କରୋନା ସଂକ୍ରମିତ ହୋଇଛନ୍ତି । । ଯଦି ତୃତୀୟ ଲହର ଆସେ ତେବେ ତାହା ସବୁ ପିଲାମାନଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଇବ ନାହିଁ । ଯେଉଁମାନଙ୍କର ଇମ୍ୟୁନିଟି ଦୁର୍ବଳ ସେମାନଙ୍କ ପାଖରେ ହିଁ ସଂକ୍ରମଣ ଭୟ ଅଧିକ ରହିବ ।

କରୋନା ମାମଲାକୁ ଦୃଷ୍ଟିରେ ରଖି ସୋଶାଲ ଡିଷ୍ଟାନ୍ସିଂ ସହ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ମାସ୍କ ପିନ୍ଧିବାର ଅଭ୍ୟାସ କରିବାକୁ ପରାମର୍ଶ ଦେଇଛି ଆଇଏପି । ଏପରିକି ପିଲାମାନଙ୍କର ମାନସିକ ସ୍ଥିତିକୁ ନଜରରେ ରଖିବା ପାଇଁ ଆଇଏପି ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି । ଏପରି ସ୍ଥିତିରେ ପିଲାଙ୍କ ବ୍ୟବହାର ଯେପରି ରୁକ୍ଷ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛି ।

ଆଇଏପି ପକ୍ଷରୁ ଆହୁରି କୁହାଯାଇଛି, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ଆସିନାହିଁ ଯାହା କି ପିଲାଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇ ପାରିବ ।ଏବେ ପିଲାଙ୍କ ଭାକ୍ସିନେସନ ଆରମ୍ଭ ହେବାକୁ ଯାଉଛି । ପିଲାଙ୍କୁ ଜ୍‌:ର କରୋନା ଭାଇରସ ଯୋଗୁ ହେଉଛି କିମ୍ବା ଅନ୍ୟ କୌଣସି କାରଣରୁ ତାହା ଜାଣିବା ମୁସ୍କିଲ ହୋଇପଡ଼ିଛି । କିନ୍ତୁ ପିଲାଙ୍କୁ ଜର, କାଶ, ସର୍ଦ୍ଦି ହେଲେ କିମ୍ବା ପରିବାରର କେହି କରୋନା ସଂକ୍ରମିତ ହେଲେ ପିଲାମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି ।

ଇଣ୍ଡିଆନ ଏକାଡେମୀ ଅଫ ପିଡିଆଟ୍ରିକ୍ସ କହିଛି, ସାଧାରଣତଃ ପିଲାମାନଙ୍କ ପାଖରେ କରୋନା ହେଲେ ସର୍ଦ୍ଦି, କାଶ, ଜ୍‌:ର ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ହେଲେ ଦ୍ଵିତୀୟ ଲହରରେ ପେଟ ଯନ୍ତ୍ରଣା, ପତଳା ଝାଡା ଆଦି ଲକ୍ଷଣ ଦେଖିବାକୁ ମିଳୁଛି । ଯଦି ପିଲାମାନଙ୍କ ଶରୀରରେ ତିନି ଦିନରୁ ଅଧିକ ଜ୍ୱର ରହୁଛି ତେବେ କରୋନା ଟେଷ୍ଟ କରାଇବା ଜରୁରୀ । ଏଥିସହିତ ଘରେ ଯଦି କେହି ସଂକ୍ରମିତ ଥାଆନ୍ତି ତେବେ ମଧ୍ୟ କରୋନା ଟେଷ୍ଟ କରାଇବା ଦରକାର । ଯଦି ମା’ ଛୁଆ ଉଭୟେ ସଂକ୍ରମିତ ହୋଇଥାଆନ୍ତି ତେବେ ମା’ ପାଖରେ ପିଲାଙ୍କୁ ଛାଡ଼ିଦେବା ଭଲ । ଯେତେଦିନ ପର୍ଯ୍ୟନ୍ତ ମା’ ଗୁରୁତର ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ପିଲାଙ୍କୁ ସ୍ତନ୍ୟପାନ କରାଇ ପାରିବ ।

You might also like