କାହିଁକି ସବୁ ବର୍ଗର ଲୋକଙ୍କୁ ଦିଆଯାଉନି କରୋନା ଟିକା; କହିଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀର ଦ୍ୱିତୀୟ ଲହର ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୂଷଣ କହିଛନ୍ତି ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା। ଏହି ଦୁଇଟି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟିକା ଦିଆଯାଉଛି। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନଙ୍କ ଆବଶ୍ୟକ ସେମାନଙ୍କୁ ଟିକା ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ସଚିବ।

ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ସବୁ ବର୍ଗ ଲୋକଙ୍କୁ ଟିକା ଦେବା ଦ୍ୱାରା ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ଏକ୍ଷେତ୍ରରେ ଗବେଷଣା କରୁଥିବା କେହି ସାବ୍ୟସ୍ତ କରିନାହାନ୍ତି। ତେବେ ଟିକାକରଣ ସମୟ ସୀମିତ, ଇତିହାସ ଆମକୁ ମୃତ୍ୟୁ ସଂଖ୍ୟା ନେଇ ମନେରଖିବ ବୋଲି ସେ କହିଛନ୍ତି।

ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ଦେବା ଦାବି କରି ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଥିଲା। ସେହିପରି ଦିଲ୍ଲୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ବୟସ କୋହଳ ପାଇଁ ଦାବି କରିଥିଲେ।

You might also like