‘ଭାରତର ଅର୍ଥନୀତିକୁ ବଳ ଦେବାକୁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି’

ନୂଆଦିଲ୍ଲୀ: ଭାରତ ପୁଣିଥରେ ତାର ବିକାଶ ଧାରାକୁ ଫେରିବ। ଅନ୍‌ଲକ୍‌-୧ର କୋହଳ କଟକଣା ସହିତ ସରକାର ଭାରତର ଅର୍ଥନୀତିକୁ ବଳ ଦେବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଆଜି ଭାରତୀୟ ଉଦ୍ୟୋଗ ପରିସଂଘ(ସିସିଆଇ)ର ୧୨୫ତମ ସ୍ଥାପନ ଦିବସ ଅବସରରେ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶରେ ବର୍ତ୍ତମାନ କରୋନା ମହାମାରୀର ପ୍ରଭାବ ଓ ଲକ୍‌ଡାଉନ୍‌ ଉପରେ ଆଲୋକପାତ କରି ମୋଦି କହିଛନ୍ତି, “ ବର୍ତ୍ତମାନ ସରକାରଙ୍କ ପାଖରେ ଦୁଇଟି ମୁଖ୍ୟ ଦାୟିତ୍ୱ ରହିଛି। ପ୍ରଥମ ନାଗରିକଙ୍କ ଜୀବନ ବଞ୍ଚାଇବା ଓ ଅନ୍ୟଟି ଭାରତର ଅର୍ଥନୀତିକୁ ସ୍ଥିର ରଖିବାକୁ ଚେଷ୍ଟା କରିବା।

କରୋନା ସମୟରେ ଦେଶର ଅର୍ଥନୀତିକୁ ବଳ ଦେବା ଆମ ପାଇଁ ସବୁଠୁ ଆଧିକ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହିତ ଭବିଷ୍ୟତରେ ଦେଶର ସ୍ଥିତି କିପରି ମଜଭୁତ ହେବ ସେ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ” ବୋଲି ମୋଦି କହିଛନ୍ତି।

ଏଥିସହିତ ଦେଶକୁ ଆର୍ଥିକ ବିପର୍ଯ୍ୟୟରୁ ବାହାରକୁ ଆଣିବା ପାଇଁ ଘରୋଇ କମ୍ପାନୀଗୁଡ଼ିକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାର ଆଶ୍ୱାସନା ଦେଇଛନ୍ତି। ସ୍ୱଦେଶୀ ଉତ୍ପାଦର ସଂଖ୍ୟା ବଢ଼ାଇବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ ଆଗେଇ ଆସିବାକୁ କମ୍ପାନୀଗୁଡ଼ିକୁ ଆହ୍ୱାନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସତ କରିବା ପାଇଁ ଘରୋଇ ଉଦ୍ୟୋଗର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଭାରତୀୟ ଉଦ୍ୟୋଗ ସଂସ୍ଥାକୁ ସେ ଅନୁରୋଧ କରିଛନ୍ତି।

ଏନେଇ ମୋଦି କହିଛନ୍ତି “ ସ୍ଥାନୀୟ ଉତ୍ପାଦର ରପ୍ତାନୀ ଚେନ୍‌କୁ ବଳ ଦେବାକୁ ଆମକୁ ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏହାହିଁ ଭାରତର ଗ୍ଲୋବାଲ୍ ସପ୍ଲାଏ ଚେନ୍‌କୁ ବଳ ଦେବ। ଏ କ୍ଷେତ୍ରରେ ସିଆଇଆଇ ମଧ୍ୟ ନିଜର ଭୂମିକା ତୁଲାଇବା ପାଇଁ ଆଗେଇ ଆସିବା ଦରକାର ବୋଲି ମୋଦି କହିଛନ୍ତି।”

ଭାରତର ବିକାଶ ଧାରାକୁ ଗତି ଦେବାକୁ ଓ ଅତ୍ମନିର୍ଭର କରିବାକୁ ହେଲେ ଉଦ୍ଦେଶ୍ୟ, ଅନ୍ତର୍ଭୁକ୍ତିକରଣ, ପୁଞ୍ଜିନିବେଶ, ନିର୍ମାଣ ଓ ଅଭିନବତା ଏହି ୫ ଉପାୟ ହିଁ ସହାୟକ ହେବ।

ଦେଶର ଆର୍ଥିକ ଅବସ୍ଥା ସୁଧାରିବା ଦିଗରେ ସରକାର ଘରୋଇ ଉଦ୍ୟୋଗଗୁଡ଼ିକ ସହିତ ସବୁବେଳେ ଆଲୋଚନା ଜାରି ରଖିଛନ୍ତି ଆଉ ଆଗକୁ ମଧ୍ୟ ଜାରି ରଖିବେ। ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନା ଅଧିନରେ କିପରି ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ସେ ନେଇ ଉଦ୍ୟୋଗଗୁଡ଼ିକ ସହିତ କଥାବାର୍ତ୍ତା ଜାରି ରହିଛି ବୋଲି ମୋଦି କହିଛନ୍ତି।

ଏଥିସହିତ ସରକାର ସହିତ ରହି  ଅର୍ଥନୀତିକୁ ବଳ ଦେବାକୁ ସମ୍ପୂର୍ଣ୍ଣ ଯୋଜନା ସହିତ ଆଗେଇ ଆସିବାକୁ ସିଆଆଇକୁ ଆହ୍ୱାନ୍ କରିଛନ୍ତି ମୋଦି। ସରକାର ସବୁବେଳେ ଘରୋଇ ଉଦ୍ୟୋଗ ସହିତ ଛିଡ଼ା ହେବେ ବୋଲି ମୋଦି ଆଶ୍ୱାସନା ଦେଇଛନ୍ତି।

 

You might also like