ଭାରତୀୟ ବାୟୁସେନା ପାଇଲଟଙ୍କ ସୁରକ୍ଷା ଦାବି କଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍‌କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରିଛି।

ପାକିସ୍ତାନ ଦ୍ୱାରା ଗିରଫ ପାଇଲଟଙ୍କର ଯେପରି କିଛି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନର ଡେପୁଟି ହାଇକମିସନରଙ୍କୁ ଡାକି ଜଣାଇଛି ଭାରତ। ସେହିପରି ତାଙ୍କୁ ତୁରନ୍ତ ଓ ନିରାପଦ ଭାବେ ଛାଡ଼ି ଦେବାକୁ ଭାରତ ପକ୍ଷରୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ଆହତ ପାଇଲଟଙ୍କ ଭିଜୁଆଲକୁ ଖୋଲାଖୋଲି ଗଣମାଧ୍ୟମରେ ପ୍ରଦର୍ଶନ କରାଯିବାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ପ୍ରତିବାଦ ଜଣାଇଛି। ଜେନେଭା ରାଜିନାମା ଓ ଅନ୍ତର୍ଜାତୀୟ ମାନାବାଧିକାର ଆଇନର ଏହା ଖୋଲା ଉଲ୍ଲଂଘନ ବୋଲି ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ଭାରତର ସାମରିକ ପ୍ରତିଷ୍ଠାନକୁ ଆକ୍ରମଣ ଲାଗି ପାକିସ୍ତାନ ବାୟୁସେନା ଉଦ୍ୟମ ଘଟଣାକୁ ନେଇ ପ୍ରତିବାଦ ଜଣାଇଛି।

ଗତକାଲି ପାକିସ୍ତାନ ବାଲାକୋଟରେ ଜୈସ୍ ଆତଙ୍କବାଦୀ ଟ୍ରେନିଂ ସେଣ୍ଟର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ରେ ପ୍ରତିବାଦ ସ୍ୱରୂପ ପାକିସ୍ତାନ ବାୟୁସେନା ଆଜି ଭାରତୀୟ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିଥିବା ଭାରତ ଅଭିଯୋଗ କରିଛି। ସେହିଭଳି ପୁଲଓ୍ୱାମା ଆକ୍ରମଣରେ ଜୈସ୍-ଇ-ମହମ୍ମଦର ହାତ ଥିବା ନେଇ ପାକିସ୍ତାନ ଡେପୁଟି ହାଇକମିଶନରଙ୍କୁ ତଥ୍ୟ ପ୍ରଦାନ କିରଛି ଭାରତ। ତେଣେ ପାକିସ୍ତାନ ମଧ୍ୟ ଇସଲାମାବାଦରେ ଅବସ୍ଥାପିତ ଭାରତର କାର୍ଯ୍ୟକାରୀ ହାଇକମିଶନର ଗୌରବ ଆଲୁଓ୍ୱାଲିଆଙ୍କୁ ସମନ କରିଥିବା ଜଣାପଡ଼ିଛି।

You might also like