ସ୍ଵଦେଶ ଫେରିବେ ବିଦେଶରେ ଫସି ରହିଥିବା ଭାରତୀୟ

ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ବଡ ଯୋଜନା କରିଛନ୍ତି। ଏହି ଭାରତୀୟଙ୍କୁ ଆକାଶ ପଥ ଓ ଜଳ ପଥରେ ଫେରାଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ପ୍ରଥମ ସପ୍ତାହରେ ୧୩ଟି ଦେଶରୁ ୧୪ ହଜାର ୮୦୦ରୁ ଅଧିକ ଭାରତୀୟଙ୍କୁ ୬୪ଟି ବିମାନରେ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆମେରିକା, ବ୍ରିଟେନ, ମାଲେସିଆ , ୟୁଏଇ, କାତାର, ସାଉଦି ଆରବ, ସିଙ୍ଗାପୁର, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କ୍ୱେଏତ୍‌ ଏବଂ ଓମାନରେ ରହୁଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଯୋଜନା ହୋଇଛି।

ଅନ୍ୟପକ୍ଷରେ, ମାଲଡିଭସ୍‌ ଓ ପଶ୍ଚିମ ଏସିଆ ଦେଶରେ ଫସିଥିବା ଭାରତୀୟଙ୍କୁ ଜଳ ପଥରେ ଫେରାଇ ଆଣିବା ଲାଗି ୩ଟି ଜାହାଜ ମଧ୍ୟ ପଠାଯିବ।

ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ନ ଥିବ ସେମାନଙ୍କୁ ହିଁ ଭାରତ ଅଣାଯିବ। ସେମାନେ ସ୍ୱଦେଶ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯିବ। ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ବିମାନରେ ୨୦୦ରୁ ୩୦୦ ଲୋକେ ଆସିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି।

You might also like