ଭାରତ ହାତରେ ସୁଯୋଗ; ଅଜହର ମାମଲାରେ ଚୀନ ସହ ହେବ ହିସାବ ନିକାଶ

ନୂଆଦିଲ୍ଲୀ:କରୋନାସଂକ୍ରମଣକୁ ରୋକିବା ଦିଗରେ ଚୀନ ଉଚିତ୍‌ ପଦକ୍ଷେପ ନେଇ ନାହିଁ। ଚୀନର ଏହି ସାମାନ୍ୟ ଅବହଳା ଆଜି ବିଶ୍ୱବାସୀଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଆଉ ଏଥିପାଇଁ ଆମେରିକା ସମେତ ଅନେକ ରାଷ୍ଟ୍ର ଚୀନକୁ ଘେରିଛନ୍ତି। ଆଗକୁ ଚାଇନା ପାଇଁ ଆହୁରି କଠିନ ସମୟ ଆସୁଛି। କାରଣ ମେ’ ୨୨ ତାରିଖରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେୟାରମ୍ୟାନ ପଦ ସମ୍ଭାଳିବାକୁ ଯାଉଛି। ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଏହାର ତଦନ୍ତ ପାଇଁ ଅନୁମତି ଦେଇପାରେ।

ବିଶ୍ୱର ଅନେକ ଦେଶ କରୋନା ମହାମାରୀରେ ଚୀନର ଭୂମିକାକୁ ନେଇ ତଦନ୍ତ ଦାବି କରୁଥିବାବେଳେ ଭାରତ ପାଖରେ ଏକ ପୁରୁଣା ହିସାବନିକାଶ କରିବାର ସମୟ ଆସିଛି। ଆତଙ୍କୀ ମସୁଦ ଅଜହରକୁ ନେଇ ଚୀନ ସହ ଥିବା ମାମଲାର ହିସାବ କରିବାର ସୁଯୋଗ ମଧ୍ୟ ଭାରତକୁ ମିଳିଛି।

ଆମେରକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଏବଂ ଜର୍ମାନୀ କରୋନା ମହାମାରୀର ପ୍ରକୃତ ତଥ୍ୟ ଦେବା ଏବଂ ସଂକ୍ରମଣ ରୋକିବା ଦିଗରେ ଚୀନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି। ସେତିକି ନୁହେଁ, ଏହାର ଯାଞ୍ଚ କରିବା ପାଇଁ ଏମାନେ ଦାବି କରିଛନ୍ତି। ଆସନ୍ତା ସପ୍ତାହରେ ଭାରତ ଜାପାନ ଜାଗାରେ WHOର ଅଧ୍ୟକ୍ଷ ପଦରେ ଆସୀନ ହେବ। ତେଣୁ ଚୀନ ବିରୁଦ୍ଧରେ ଯାଞ୍ଚ କରିବା ପାଇଁ ଆଦେଶ ଦେବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ସୋମବାର ୱାର୍ଲ୍ଡ ହେଲ୍‌ଥ ଆସେମ୍ଲିରେ ୟୁରୋପିଆନ ୟୁନିୟନ ପକ୍ଷରୁ ଯାଞ୍ଚ ପାଇଁ ପ୍ରସ୍ତାବ ଆଗତ କରାଯିବ।

ସୂଚନାଥାଉ କି, ମସୁଦ ଅଜହରକୁ ଗ୍ଲୋବାଲ ଆତଙ୍କୀ ଘୋଷଣା କରିବା ପାଇଁ ଭାରତ କରିଥିବା ଦାବିରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ଚୀନ। ପାକିସ୍ତାନ ପ୍ରୀତି ଦେଖାଇ ଚୀନ ଏକାଧିକ ବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମସୁଦ ଅଜହର ଉପରେ ଭିଟୋ ପ୍ରୟୋଗ କରିଥିଲା। ଯେତେଥର ଭାରତ ମସୁଦ ଅଜହର ପ୍ରସଙ୍ଗ ଉଠାଇଛି, ପ୍ରତି ଥର କୌଣସି ନା କୌଣସି ବାହନା ଦେଖାଇ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି। ଯେଉଁଥି ପାଇଁ ମସୁଦକୁ ଗ୍ଲୋବାଲ ଆତଙ୍କୀ ଘୋଷଣା କରିବା ଦିଗରେ ଚୀନ୍ ତାକୁ ବଞ୍ଚାଇ ଦେଉଛି।

୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଥିଲେ। ସାରା ଦୁନିଆ ଏପରି ଆକ୍ରମଣକୁ ନିନ୍ଦା କରିଥିଲେ। ଏପରି ଭୟଙ୍କର ଆକ୍ରମଣ ପରେ ବି ମସୁଦ ଅଜହରକୁ ଗ୍ଲୋବାଲ ଆତଙ୍କୀ ଘୋଷଣା କରିବା ଦିଗରେ ଚୀନ ସମର୍ଥନ ଦେଇ ନ ଥିଲା। ଭାରତ ପୁଣି ତାର କୂଟନୀତିକ ଚାପ ପ୍ରୟୋଗ କରିଥିଲା। ଯାହାଫଳରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଚୀନ ଉପରେ ଚାପ ପକାଇଥିଲେ। ତେବେ ଏହା ଆରମ୍ଭ ନୁହେଁ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୪ ଥର ଅଜହରକୁ ବିଶ୍ୱ ଆତାଙ୍କୀ ଘୋଷଣା କରିବା ପାଇଁ ଉଦ୍ୟମ କରି ସାରିଲାଣି।

ସେ ଯାହା ହେଉ, WHOର ଚେୟାରମ୍ୟାନ ପଦ ଭାରତ ପାଇବା ପରେ କରୋନା ସଂକ୍ରାନ୍ତ ତଥ୍ୟର ଯାଞ୍ଚ ପାଇଁ  ଅନୁମତି ମିଳିପାରେ। ଏ ନେଇ ଆମେରିକା ବାରମ୍ବାର ଦାବି କରି ଆସୁଛି। ଅନ୍ୟପକ୍ଷେ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ କରୋନା ଭାଇରସ ପ୍ରାକୃତିକ ନୁହେଁ ବୋଲି କହିଛନ୍ତି। ପ୍ରଥମ ଥର ପାଇ ଭାରତର ଅଧିକାରୀ ସ୍ତରୀରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

 

You might also like