ଅସ୍ଥାୟୀ ଭାବେ ଚୀନ ନାଗରିକଙ୍କ ଇ-ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଥିବା କାରଣରୁ ଆଜି ଭାରତ, ଚୀନ ନାଗରିକଙ୍କ ଇ-ଭିସା ବାତିଲ୍‌ କରିଛି। ବର୍ତ୍ତମାନର ପରିସ୍ଥିତି ଦେଖି ଅସ୍ଥାୟୀ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍‌ ବର୍ତ୍ତମାନ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି। ଭାରତ, ଆମେରିକା ଏବଂ ବ୍ରିଟେନ୍‌ ସମେତ ୨୫ଟି ଦେଶରେ ଏହି ଭାଇରସ୍‌ର ଉପସ୍ଥିତି ଠାବ କରାଯାଇଛି।

ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ସୂଚନା ଦିଆଯାଇଛି। ଆଡଭାଇଜରୀ ଜାରି କରି କୁହାଯାଇଛି, କିଛି ଘଟଣାକୁ ଆଖି ଆଗରେ ରଖି ଇ-ଭିସା ଜରିଆରେ ଭାରତ ଗସ୍ତ ଅସ୍ଥାୟୀ ଭାବେ ବାତିଲ କରାଯାଇଛି। ଏନେଇ ଚୀନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ ଜରିଆରେ ଜଣାଇ ଦିଆଯାଇଛି।

ଏଥିରେ କୁହାଯାଇଛି “କିଛି ଘଟଣାକୁ ଲକ୍ଷ୍ୟ କରି ବର୍ତ୍ତମାନଠାରୁ ଇ-ଭିସାରେ ଚୀନରୁ ଭାରତ ଯିବା ବାତିଲ ହେଲା। ଏହା ସମସ୍ତ ଚୀନ ପାସପୋର୍ଟ ସହ ପିପୁଲ୍ସ ରିପବ୍ଲିକ୍‌ ଚୀନରେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କ ପାଇଁ ଲାଗୁ ହେଲା।”

ଅନ୍ୟପକ୍ଷରେ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ବର୍ତ୍ତମାନ ଆଉ ବୈଧ ନୁହେଁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଏହି ଟ୍ୱିଟ୍‌ରେ ଆହୁରି ମଧ୍ୟ କୁହାଯାଇଛି, “ଯାହାର  ଭାରତ ଗସ୍ତ କରିବା ଜରୁରୀ ଅଛି, ସେମାନେ ସାଂଘାଇ ଏବଂ ଗୁଆଙ୍ଗଝୋଉ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିପାରିବେ। ଏତଦ୍‌ବ୍ୟତୀତ ସେହି ସହରସବୁରେ ଥିବା ଭିସା ଆବେଦନ କେନ୍ଦ୍ରରେ ମଧ୍ୟ ଭିସା ଆବେଦନ କରିପାରିବେ।”

You might also like