ପୁଲ୍‌ୱାମା ପ୍ରତିଶୋଧ: ଜୈଶ୍‌ ଶିବିର ଧ୍ୱଂସ, ବହୁ ସଂଖ୍ୟକ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌କୁ ନେଇ ଭାରତୀୟ ବୈଦେଶିକ ସଚିବ ଭି.କେ. ଗୋଖଲେ ସ୍ପଷ୍ଟ କରିଛନ୍ତି।

ପିଓକେର ବାଲାକୋଟ୍‌ରେ ଅପରେଟ କରୁଥିବା ଜୈଶ-ଏ- ମହମ୍ମଦର କ୍ୟାମ୍ପ୍‌ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ସମେତ ଟ୍ରେନର, ସିନିଅର୍‌ କମାଣ୍ଡର ଓ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ମୃତ୍ୟୁ ଘଟିଥିବା ଗୋଖଲେ କହିଛନ୍ତି।

ପାହାଡ଼ ଉପରେ ଘଞ୍ଚ ଜଙ୍ଗଲରେ ଥିବା ଏହି ଆତଙ୍କବାଦୀ ଶିବିରକୁ ୟୁସୁଫ୍‌ ଆଝାର୍‌ ଓରଫ ଉସ୍ତାଦ ଘୌରୀ ପରିଚାଳିତ କରୁଥିଲା। ୟୁସୁଫ୍‌, ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାର୍‌ର ଶଳା ବୋଲି ଜଣାପଡ଼ିଛି। ବିଶେଷ କରି ଏହି ଏୟାର ଷ୍ଟ୍ରାଇକ୍‌ ଜୈଶ-ଏ-ମହମ୍ମଦ ଶିବିରକୁ ଟାର୍ଗେଟ୍‌ କରି କରାଯାଇଥିଲା ବୋଲି ଗୋଖଲେ କହିଛନ୍ତି। ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ଯେପରି ସାଧାରଣଲୋକଙ୍କ କିଛି କ୍ଷତି ନ ହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ଗତ ୧୪ ତାରିଖରେ ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା।

You might also like