୬ ମାସରେ ସବୁଠାରୁ କମ୍‌ କରୋନା ପଜିଟିଭ୍ ଚିହ୍ନଟ; ଏଠାରେ ଗୋଟିଏ ବି ଚିହ୍ନଟ ହେଲେନି

ନୂଆଦିଲ୍ଲୀ: ବିଗତ ୬ ମାସରେ ଦେଶରେ ସବୁଠାରୁ କମ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ। ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ରିପୋର୍ଟରେ ଦିନକରେ ଦେଶରେ ୧୮,୭୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜୁଲାଇ ୧ ତାରିଖ ଠାରୁ  ଦୌନିକ ଚିହ୍ନଟ ହେଉଥିବା ସଂକ୍ରମିତ ସଂଖ୍ୟାଠାରୁ ଏହା ସବୁ ଠାରୁ କମ୍‌। ନୂଆ ସଂକ୍ରମିତଙ୍କୁ ମିଶାଇଲେ ରବିବାର ସକାଳ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୧,୮୭୮୫୦ ହୋଇଛି।

ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧,୪୭,୬୨୨ ହୋଇଛି। ମୋଟ ସକ୍ରିୟସଂଖ୍ୟା ୨,୭୮,୬୯୦ ରହିଛି। ଯାହା ବିଗତ ୫ ମାସ ହେବ ଧୀରେ ଧୀରେ କମିବାରେ ଲାଗିଛି। ସେହିପରି ଦିନକରେ ୨୧,୪୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଲେ ମୋଟ ସୁସ୍ଥ ସଂଖ୍ୟା ୯୭,୬୧,୫୩୮ ହୋଇଛି। ଫଳରେ ଦେଶର ମୋଟ ସୁସ୍ଥ ପ୍ରତିଶତ ୯୫.୮୨ ପ୍ରତିଶତ ରହିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨.୩୭ ପ୍ରତିଶତ ନୂଆ ସୁସ୍ଥ ସଂଖ୍ୟା ରେକର୍ଡ କରାଯାଇଛି।

ଏବେ ଦେଶରେ ହୋଇଥିବା ସାମ୍ପଲ ଟେଷ୍ଟ ବିଷୟରେ ବି ଜାଣିରଖନ୍ତୁ। ଡିସେମ୍ବର ୨୬ ତାରିଖରେ ୯,୪୩,୩୬୮ ଜଣଙ୍କର କରୋନା ଟେଷ୍ଟ ହୋଇଥିବା ମୋଟ ଟେଷ୍ଟିଂ ସଂଖ୍ୟା ୧୬,୮୧,୦୨,୬୫୭ରେ ପହଞ୍ଚିଛି। ରବିବାର କେରଳରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରିପୋର୍ଟରେ କେରଳରେ ୩,୫୩୭ ପଜିଟିଭ ଚିହ୍ନଟ ହୋଇଥିଲା ସୂଚନା ମିଳିଛି।

ଦିଲ୍ଲୀ- ରାଜଧାନୀ ଦିଲ୍ଲୀରେ ମଧ୍ୟ ବିଗତ ୪ ମାସରେ ଶନିବାର ସବୁଠାରୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପିଟିଆଇ ରିପୋର୍ଟ ଅନୁସାରେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬.୨୨ଲକ୍ଷ ଟପିଥିବା ବେଳେ ପଜିଟିଭ୍ ହାର ୦.୯୮ ପ୍ରତିଶତ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା  ୧୦,୪୩୭ ରହିଛି। କେବଳ ଶୁକ୍ରବାର ଦିଲ୍ଲୀରେ ୬୭,୦୦୦ କୋଭିଡ୍ ଟେଷ୍ଟ କରାଯାଇଛି। ଡିସେମ୍ବର ୨୧ ତାରିଖରୁ ୨୩ ତାରିଖ ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ୧୦୦୦ ହ୍ରାସ ପାଉଛି।

ଖୁସୀର କଥା ହେଲା ଆଣ୍ଡାମାନ ନିକୋବାର ଦୀପରେ ଗତ ୨୪ ଘଣ୍ଟାରେ ଗୋଟିଏ ବି ପଜିଟିଭ୍‌ କେସ୍ ଚିହ୍ନଟ ହୋଇ ନାହିଁ। ଦେଶର କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୋଟ ୪,୯୧୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା କୁହାଯାଇଛି। ସେଥିମଧ୍ୟରୁ ଦିନକରେ ୮ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଦୀପପୁଞ୍ଜଗୁଡ଼ିକରେ ମୋଟ ସୁସ୍ଥ ସଂଖ୍ୟା୪,୭୮୯କୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ସଂଖ୍ୟା ମାତ୍ର ୬୧ ରହିଥିବା ବେଳେ ଦୀପପୁଞ୍ଜଗୁଡ଼ିକରେ ଏପର୍ଯ୍ୟନ୍ତ ୬୨ ଜଣଙ୍କ ଜୀବନ ଯାଇଛି।

ତେବେ ବ୍ରିଟେନ୍‌ରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ୍‌ ସାର୍ସ- କୋଭ୍-୨କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୫ ପ୍ରତିଶତ ଲୋକଙ୍କର ହୋଲ୍‌ ଜେନୋମ୍‌ ସିକ୍ୟୁଏନ୍ସିଂ (WGS) ଟେଷ୍ଟ କରାଯିବ। ବ୍ରିଟେନ୍‌ର ସାର୍ସ- କୋଭ୍-୨କୁ ଚିହ୍ନଟ କରିବା ପାଇଁ ଜେନୋମିକ ସର୍ଭେଲାନ୍ସ ବଢ଼ାଇବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ସୂଚନା ଥାଉକି, ଅଗଷ୍ଟ ମାସରେ ୭ ତାରିଖର ସୁଧା ଭାରତରେ କରୋନା ଭାଇରସ ସଂଖ୍ୟା ୨୦ ଲକ୍ଷ ଥିଲା। ଅଗଷ୍ଟ ୨୩ରେ ସଂଖ୍ୟା ବଢ଼ି ୪୦ ଲକ୍ଷ ହୋଇଥିଲା। ପରେ ସେପ୍ଟେମ୍ବର ୫ରୁ ୧୬ ତାରିଖ ମଧ୍ୟରେ ସଂଖ୍ୟା ୫୦ ଲକ୍ଷ ଓ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ହୋଇଥିଲା। ଅକ୍ଟୋବର ୧୧ରେ ୭୦ ଲକ୍ଷ ଓ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଏହି ସଂଖ୍ୟା ୮୦ ଲକ୍ଷ ଛୁଇଁଥିଲା। ସେହିପରି ନଭେମ୍ବର ମାସ ୨୦ ତାରିଖ ସୁଦ୍ଧା ସଂଖ୍ୟା ୯୦ ଲକ୍ଷ ଟପିଥିବା ବେଳେ ଡିସେମ୍ବର ୧୯ ତାରିଖରେ କରୋନା କୋଟିଏ ମାଇଲଖୁଣ୍ଡ ଅତିକ୍ରମ କରିଥିଲା।

You might also like