ବିନା ଲଗାମରେ ବଢିଚାଲିଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଫଁ ଫଁ କରୁଛି କରୋନା

ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି କରୋନା ମହାମାରୀ। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟାରେ ସାରା ଦେଶରେ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଗୋଟିଏ ଦିନରେ ଏହି ମହାମାରୀ ନେଇଛି ୨୯୧ ଜୀବନ। ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩୯ ହଜାରରେ ପହଞ୍ଚିଛି। ଏବେ ଆକ୍ଟିଭ କେସ୍ ରହିଛି ୫ ଲକ୍ଷ ୨୧ ହଜାର ଉପରେ। ସେହିପରି ସୁସ୍ଥ ହୋଇଛନ୍ତି ୧ କୋଟି ୧୩ ଲକ୍ଷ ୫୫ ହଜାର। ଏପର୍ଯ୍ୟନ୍ତ ୬ କୋଟି ୫ ଲକ୍ଷ ୩୦ ରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଗତବର୍ଷ ଅକ୍ଟୋବର ମଧ୍ୟଭାଗ ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୬୮,୦୨୦ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଏଥିସହ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୨୦ କୋଟିରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୮,୦୨୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୦,୩୯,୬୪୪ରେ ପହଞ୍ଚିଛି।

ସେପଟେ ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ ଘୋଷଣା କରାଯାଉଛି । ହେଲେ ଏହା ସେତେଟା ଫଳପ୍ରଦ ହେବ ନାହିଁ, କରୋନାର ଦ୍ୱିତୀୟ ଲହରୀ ଏଡ଼ାଯାଇ ନପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ୍ ଲଗାଯାଇପାରିବ ବୋଲି ଏକ ଜାତୀୟ କନକ୍ଲେଭରେ ଯୋଗଦେଇ ମତ ଦେଇଛନ୍ତି ।

କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା। ରାଜ୍ୟରେ କ୍ରମାଗତ ଭାବରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍‌। ଲଗାତାର ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ଲୋକାଲ କେସ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।

You might also like