• translate
Prangyan Parimita
  • ସଂକ୍ରମଣ ଗ୍ରାଫ୍ ଧୀମା
  • ଦେଶରେ ଆଜି ୩୪ ହଜାର ୭୦୩ ପଜିଟିଭ ଚିହ୍ନଟ
  • ୧୧୧ ଦିନ ଭିତରେ ଆଜି ସର୍ବନିମ୍ନ ସଂକ୍ରମିତ ଚିହ୍ନଟ
  • ଆକ୍ଟିଭ କେସ- ୪,୬୪,୩୫୭; ସୁସ୍ଥତା ହାର – ୯୭.୧୭%
  • ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୪,୭୦୩ ପଜିଟିଭ ହୋଇଛନ୍ତି । ୧୧୧ ଦିନ ଭିତରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Mohfw) ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୪ ହଜାର ୩୫୭ ଥିବାବେଳେ ଆରୋଗ୍ୟ ହାର ୯୭ ଦଶମିକ ୧୭ ପ୍ରତିଶତ ରହିଛି ।  ଅନ୍ୟପକ୍ଷରେ ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଫଳରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧ରେ ପହଞ୍ଚିଛି ।

ଆଜି ୩୪,୭୦୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୬ ଲକ୍ଷ ୧୯ ହଜାର ୯୩୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୪ ହଜାର ସଂକ୍ରମିତ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨ କୋଟି ୯୭ ଲକ୍ଷରୁ ଅଧିକ ଲୋକ କରୋନାକୁ ହରାଇ ଡିସଚାର୍ଜ ହୋଇ ସାରିଛନ୍ତି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୩୫.୭୧ କୋଟିରୁ ଅଧିକ ଡୋଜ୍ ଟିକାକରଣ ସରିଛି । ସୋମବାର ଦିନ ୪୧.୩୪ ଲକ୍ଷରୁ ଅଧିକ ଡୋଜ ଟିକା ଦିଆଯାଇଛି । ୧୮-୪୪ ବର୍ଷ ବୟସ ବର୍ଗରେ ୧୮,୩୦,୭୪୧ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଏବଂ ୧,୪୦,୩୬୮ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ମୋଟ ଉପରେ, ୧୮-୪୪ ବର୍ଷ ବୟସର ୧୦,୨୫,୯୬,୦୪୮ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ଏବଂ ୨୯,୧୯,୭୩୫ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ବିହାର, ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଆଦି ଆଠଟି ରାଜ୍ୟରେ ୧୮-୪୪ ବର୍ଷ ବୟସ ବର୍ଗର ଲୋକେ ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ ଟିକା ନେଇଛନ୍ତି । ସେହିପରି  ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ବର୍ଗର ୧୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ୍ ଟିକକାକରଣ ସରିଛି ।

 

Other Stories