କରୋନା ସ୍ଥିତି ଗମ୍ଭୀର: ଦେଶରେ ଦୈନିକ ସଂକ୍ରମଣ ହାର ୩ ଲକ୍ଷ ପାର୍‌

ବଢିଚାଲିଛି ମହାମାରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍ଗୀନ ହେଲାଣି। ମାତ୍ର ୨୪ ଘଂଟାରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍‌ ହୋଇଛି। ସେହିପରି ଭାବରେ ୨୧୦୪ ଜଣ ପ୍ରାଣ ନେଇଛି କରୋନା। ଏହାସହ ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ହୋଇଛି। ଏହାସହ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ୍‌ କେସ୍- ୨୨,୯୧,୪୨୮ ଥିବା ବେଳେ ସୁସ୍ଥ ହେଲେଣି- ୧,୩୪,୫୪,୮୮୦ ଜଣ ସଂକ୍ରମିତ। ଏଯାବତ ଦେଶରେ ୧୩,୨୩,୩୦,୬୪୪ ଡୋଜ୍ ଟିକାକରଣ ହୋଇଥିବା ନେଇ ମିଳିଛି ସୂଚନା।

ଚଳିତ ବର୍ଷ ଜାନୁଆରୀ ୮ ରେ ୩,୦୭,୫୮୧ ଜଣ ଆମେରିକାରେ ଦୈନିକ କରୋନାରେ ସଂକ୍ରମିତ ହୋଇଥିଲେ। ଆମେରିକା ହେଉଛି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ। ଦ୍ୱିତୀୟରେ ଭାରତ ପରେ ବ୍ରାଜିଲ ରହିଛି। ହେଲେ ଏବେ ଭାରତରେ ୧୭ ଦିନରେ ୧ ଲକ୍ଷରୁ ୩ ଲକ୍ଷ ହୋଇଛନ୍ତି କରୋନା ସଂକ୍ରମିତ। ଯାହାକି ଆମେରିକା ତୁଳନାରେ ଅଧିକ ରହିଛି। ମହାମାରୀ କରୋନା ଆସିବା ଦିନଠାରୁ ସାରା ବିଶ୍ୱରରେ କୌଣସି ଗୋଟିଏ ଦିନରେ ଏତେ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ଆଉ ଭାରତରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ଆଜି ରହିଛି ।

ଏଠାରେ ସୂଚନା ଦେଉଛୁ, ଦେଶରେ କରୋନା ସ୍ଥିତି ଏମିତି ହେଲାଣି ଯେ, କେମିତି ଏହି ମହାମାରୀକୁ ରୋକାଯିବ ତାହାକୁ ନେଇ ଚିନ୍ତାରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର। ସେପଟେ ଦେଶର କରୋନା ଲଢ଼େଇରେ ବଡ଼ ଆଶ୍ୱସ୍ତି  ମିଳିଛି। ଦେଶରେ ତ୍ୱରିତ ବେଗରେ ଟିକାକରଣ ଆଗେଇ ଚାଲିଥିବା ବେଳେ ସୂଚନା ମିଳିଛି, ଘାତକ ଭୂତାଣୁର ୟୁକେ ଓ ବ୍ରାଜିଲ୍ ସହ ଡବଲ୍ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନକୁ ମଧ୍ୟ ରୋକିବାରେ ସଫଳ ହେଉଛି ସ୍ୱଦେଶୀ ଟିକା କୋଭାକ୍ସିନ୍। ସେପଟେ ଅଗଷ୍ଟ ବେଳକୁ ଆଉ ଏକ ଟିକା ବାୟୋଲୋଜିକାଲ୍-ଇ ଆସିବା ନେଇ ଆଶା କରାଯାଉଛି।

ସେପଟେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେଲାଣି। କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାରାଷ୍ଟ୍ରରେ ପ୍ରତି ଘଂଟାରେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ପ୍ରତି ତିନିମିନିଟ୍‌ରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି। ଏପରି ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ମଧ୍ୟ ଚିନ୍ତାରେ ଅଛନ୍ତି। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ପ୍ରତି ୧ ଘଣ୍ଟାରେ ହାରାହାରି ୨,୮୫୯ ଜଣ କରୋନା ସଂକ୍ରମିତ ହେଉଛନ୍ତି

You might also like