ଦେଶରେ ବଢୁଛି ସଂକ୍ରମଣ: ଅନେକ ସ୍ଥାନରେ ଜାରି ହେଲାଣି ଲକଡାଉନ ଓ ସଟଡାଉନ୍‌

୨୪ ଘଂଟାରେ ୨୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା। ୨୪ ଘଣ୍ଟାରେ ଦେଶରେ ମୋଟ୍‌ ୨୪,୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି। ଏହାସହ ୨୪ ଘଣ୍ଟାରେ ୨୦,୧୯୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୩୧ ଜଣଙ୍କ ଜୀବନ ନେଇଛି କରୋନା। ବର୍ତ୍ତମାନ ସମୟରେ ଦେଶରେ ୧୧୪୦୯୮୩୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୧୦୨୭୫୪୩ ଜଣ ସୁସ୍ଥ ହେଲେଣି। ଏହାସହ ଦେଶରେ ଆକ୍ଟିଭ କେସର ସଂଖ୍ୟା ୨୨୩୪୩୨ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ୩୨୯୪୭୪୩୨ ଜଣକୁ ଟିକା ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ରାଜ୍ୟରେ ୨୪ ଘଣ୍ଟାରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ କେସ୍‌ ବୋଲି ଜଣାଯାଇଛି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୩ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୭ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜ୍ୟରେ ୨୪ ଘଂଟାରେ କରୋନାରେ କେହି ମୃତାହତ ହୋଇନାହାନ୍ତି। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଭଲ ନାହିଁ। ଏହାକୁ ଦେଖି ଓଡ଼ିଶାରେ ମଧ୍ୟ ପୁଣି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।

ନୂଆ ଷ୍ଟ୍ରେନ ସହ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ  ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଷ୍ଟ୍ରେନ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ । ଏଣୁ ଏଥିଲାଗି ଅଧିକ ସତର୍କ ରହିବା ସହ ସଚେତନ ହେବା ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

You might also like