• translate
Sarbeswar

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧୩ ମୃତ୍ୟୁ ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୯୬,୭୩୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧୧୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୭,୦୫୧ରେ ପହଞ୍ଚିଛି।

ଏହାସହ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୧,୭୧୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୭,୭୫,୧୬୯। ଏହା ସହ ବର୍ତ୍ତମାନ ସମୟରେ  ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪,୫୧୧ରେ ରହିଛି। କହିବାକୁ ଗଲେ ଦେଶରେ ଦେଖାଯାଇଥିବା ନୂଆ ଷ୍ଟ୍ରେନକୁ ନେଇ ଏବେ ଟେନସନ ଦେଖାଯାଇଛି।

ସେପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୱାସିମ ଜିଲ୍ଲାରେ ଥରକେ ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଘଟଣାକୁ ନେଇ ଚିନ୍ତାରେ ଅଛନ୍ତି ସରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ। ୱାସିମ ଜିଲ୍ଲାର ରିସୋଡ ତହସିଲର ଏକ ସ୍କୁଲ ହଷ୍ଟେଲରେ ୧୯୦ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ କୋଭିଡ ପଜିଟିଭ ବାହାରିଥିବା ମହାରାଷ୍ଟ୍ରର ସେହି ସ୍କୁଲକୁ‌ ଏବେ କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କରାଯାଇଛି।

କେବଳ ଏତିକି ନୁହେଁ ବରଂ କରୋନାକୁ ନେଇ ଚିନ୍ତାରେ ଅଛନ୍ତି କେନ୍ଦ୍ର ସରକାର। ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ସମ୍ପୃକ୍ତି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ସରକାର। ତେବେ କ୍ରମାଗତ ଭାବରେ ବଢୁଥିବା ଆକ୍ରନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ମହାରାଷ୍ଟ୍ରର କେତେ ଅଂଚଳରେ ଲକଡାଉନ କରାଯାଇଛି।

ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜରୁରୀ ବୈଠକ ମଧ୍ୟ ପୂର୍ବରୁ ବସିସାରିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ବହୁ ବରିଷ୍ଠ ଅଫିସର ମାନେ ଯୋଗ ଦେଇଥିଲେ। ଦେଶରେ ଯେପରି ଭାବରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ମୋଟ୍‌ ଉପରେ କହିବାକୁ ଗଲେ କରୋନା ଚେନକୁ କେମିତି ରୋକାଯାଇପାରିବ ତାହାକୁ ନେଇ କେନ୍ଦ୍ର ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ନେଇ ସୂଚନା ରହିଛି।

Other Stories