• translate
Prangyan Parimita

ନୂଆଦିଲ୍ଲୀ : ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି ।  ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୬,୮୬୨ରେ ପହଞ୍ଚିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୨୮ ହଜାର ପାର କରିଥିବା ବେଳେ ଆଜି ସୁଦ୍ଧା ଭାଇରସକୁ ମାତ ଦେଇ ୧କୋଟି ୧୮ ଲକ୍ଷରୁ ଅଧିକ ସୁସ୍ଥ ହେଲେଣି ।

ତେବେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୬ ହଜାର ୮ ୬୨ରେ ପହଞ୍ଚିଛି  । ଅନ୍ୟପଟେ ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯,୧୦,୩୧୯ । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯,୦୧,୯୮,୬୭୩ ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି । ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦିନକୁ ମିଶାଇ ତିନି ଥର ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟପିଛି। କରୋନାର ପ୍ରଥମ ଲହରୀରେ, କେବେ ହେଲେ ଏକ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇନଥିଲେ । କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ତିନି ଥର ଏହି ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ କରୋନାରେ ପ୍ରାଣ ହରାଇଥିଲେ ୬୩୦ ଜଣ ସଂକ୍ରମିତ ।

ସଂକ୍ରମଣ ବଢ଼ୁଥିବା ବେଳେ ଭାରତ ସରକାର କରୋନାକୁ କାବୁ କରିବାକୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଭାରତ ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ତୀବ୍ର ଟିକାକରଣର ଦେଶରେ ପରିଗଣିତ ହୋଇଛି । ଭାରତରେ ଦୈନିକ ପ୍ରାୟ ୩୦ ଲକ୍ଷଙ୍କୁ କରୋନା ଟିକା ଦିଆଯାଉଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଟିକା ନେବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ କରୋନା ଟିକା କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ନେଇଥିଲେ।

କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଉଲ୍ଲେଖ କରିଥିଲେ, ମହାମାରୀ କରୋନା ବିରୋଧ ଲଢ଼େଇରେ ଭାରତର ଡାକ୍ତର ଓ ବୈଜ୍ଞାନିକ ଖୁବ୍ କମ ସମୟ ମଧ୍ୟରେ ଯେଉଁ ଯୋଗଦାନ ଦେଇଛନ୍ତି ତାହା ଉଲ୍ଲେଖନୀୟ। ଏହାସହ ଯେଉଁମାନେ ଟିକା ଗ୍ରହଣ ପାଇଁ ଯୋଗ୍ୟ ସେମାନେ ଆଗକୁ ଆସି ଟିକା ନେବା ସହ ଦେଶକୁ କୋଭିଡ-୧୯ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।

Other Stories