ଆଜି ଚିହ୍ନଟ ହେଲେ ୨୪ ହଜାରରୁ ଅଧିକ କରୋନା ପଜିଟିଭ୍: କେବେ ଚିହ୍ନଟ ହୋଇଥିଲେ ପ୍ରଥମ ରୋଗୀ ?

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା ଭାଇରସ ସଂକ୍ରମଣ କମିବାରେ ଲାଗିଛି। ସୋମବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ଦିନକରେ ୨୪,୩୩୭ କରୋନା ପଜିଟିଭ ଚିହ୍ନଟ ହୋଇଛି। ୩୩୩ ଜଣଙ୍କର ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧,୦୦,୫୫,୫୬୦ ରେ ପହଞ୍ଚିଛି।

ସଂକ୍ରମଣ କମି ଚାଲିଥିବା ବେଳେ ଦେଶରେ ସୁସ୍ଥ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ଖବର ଲେଖାଯିବା ସୁଦ୍ଧା ଦେଶର ମୋଟ ସୁସ୍ଥ ସଂଖ୍ୟା ୯୬,୦୬,୧୧୧ ହୋଇଛି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୯୫.୫୩ ପ୍ରତିଶତ ରହିଛି। ସେହିପରି ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି। ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୩,୦୩,୬୩୯ ରହିଥିବା ବେଳେ ମୋଟ ସଂଖ୍ୟାରେ ସୁସ୍ଥ ହାର ୩.୦୨ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ସେହିପରି ଦେଶରେ ଟେଷ୍ଟିଂ ମଧ୍ୟ ଜୋର୍‌ସୋର୍‌ରେ ଚାଲିଛି। ଇଣ୍ଡିଆନ୍ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ ବା ICMR ଅନୁସାରେ ଡିସେମ୍ବର ୨୦ ତାରିଖରେ ସୁଧା ଦେଶରେ ୧୬,୨୦,୯୮,୩୨୯ ଟେଷ୍ଟ ହୋଇସାରିଛି। ଗତକାଲି ୯୦୦୧୩୪ ଟେଷ୍ଟ ହୋଇଛି।

କରୋନାର କ୍ରମାନ୍ୱୟ….

ଅଗଷ୍ଟ ମାସରେ ୭ ତାରିଖର ସୁଧା ଭାରତରେ କରୋନା ଭାଇରସ ସଂଖ୍ୟା ୨୦ ଲକ୍ଷ ଥିଲା। ଅଗଷ୍ଟ ୨୩ରେ ସଂଖ୍ୟା ବଢ଼ି ୪୦ ଲକ୍ଷ ହୋଇଥିଲା। ପରେ ସେପ୍ଟେମ୍ବର ୫ରୁ ୧୬ ତାରିଖ ମଧ୍ୟରେ ସଂଖ୍ୟା ୫୦ ଲକ୍ଷ ଓ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ହୋଇଥିଲା। ଅକ୍ଟୋବର ୧୧ରେ ୭୦ ଲକ୍ଷ ଓ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଏହି ସଂଖ୍ୟା ୮୦ ଲକ୍ଷ ଛୁଇଁଥିଲା। ସେହିପରି ନଭେମ୍ବର ମାସ ୨୦ ତାରିଖ ସୁଦ୍ଧା ସଂଖ୍ୟା ୯୦ ଲକ୍ଷ ଟପିଥିବା ବେଳେ ଡିସେମ୍ବର ୧୯ ତାରିଖରେ କରୋନା କୋଟିଏ ମାଇଲଖୁଣ୍ଡ ଅତିକ୍ରମ କରିଥିଲା।

ପ୍ରଥମ ପଜିଟିଭ୍‌ ଚିହ୍ନଟ

ଜାନୁଆରୀ ମାସ ୩୧ ତାରିଖରେ ଦେଶର ପ୍ରଥମ କରୋନା ପଜିଟିଭ କେରଳର ତ୍ରିଶୁରରେ ଚିହ୍ନଟ ହୋଇଥିଲା। ଚୀନର ଉହାନ ୟୁନିଭର୍ସିଟିରେ ପାଠ ପଢୁଥିବା ଜଣେ ଭାରତୀୟ ଛାତ୍ରଙ୍କ ଠାରେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା। ସେ ଉହାନରୁ କୋଲକାତା ଏୟାର୍‌ପୋର୍ଟରେ ପହଞ୍ଚିଥିଲେ।

ଜାନୁଆରୀ ୩୦ ତାରିଖରେ ସେ ତାଙ୍କ ଘର ତ୍ରିଶୁର ଯିବା ପାଇଁ ସେ କୋଲକାତାରୁ କୋଚି ବିମାନବନ୍ଦରକୁ ଯାତ୍ରା କରିଥିଲେ। ତାଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲେ। ଦ୍ୱିତୀୟ ଓ ତୃତୀୟ ପଜିଟିଭ୍‌ ବି ସେହି କେରଳରୁ ହିଁ ଚିହ୍ନଟ ହୋଇଥିଲେ। ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ଏହାପରେ ମାର୍ଚ୍ଚ ୩ ତାରିଖରେ ଆଉ ୩ ପିଜିଟିଭ ଚିହ୍ନଟ ହୋଇଥିଲେ। ଦିଲ୍ଲୀ ଓ ହାଇଦ୍ରାବାଦର ଜଣେ ଲେଖାଏ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ରାଜସ୍ଥାନର ଜୟପୁରରେ ଜଣେ ଇଟାଲୀୟ ମହିଳା ପର୍ଯ୍ୟଟକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା।

ଆମେରିକାକୁ ଟପିଲା ଭାରତ

ଅଗଷ୍ଟ ୩୦ ତାରିଖରେ ରିପୋର୍ଟ ଅନୁସାରେ, ଦିନକରେ ୭୮,୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ବିଶ୍ୱର ପ୍ରଥମ। ଯାହା ଆମେରିକାକୁ ମଧ୍ୟ ଟପିଯାଇଥିଲା। ସେତେବେଳେ ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା। ୩୫,୪୨, ୭୩୩।

ଦେଶର ପ୍ରଥମ କରୋନା ମୃତ୍ୟୁ

ମାର୍ଚ୍ଚ ୧୧ ତାରିଖରେ ଦେଶରେ ପ୍ରଥମ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। କରୋନାରେ ମୃତ୍ୟୁବରଣ କରିଥିବା ପ୍ରଥମ ରୋଗୀ ହେଲେ ୭୬ ବର୍ଷ ବୟସ୍କ ମହମ୍ମଦ ହୁସେନ୍ ସିଦ୍ଦିକି। କର୍ଣ୍ଣାଟକାର କାଲାବୁର୍ଗିରେ ରହୁଥିଲେ। ସିଦ୍ଦିକି ସାଉଦି ଆରବରୁ ଫେରିବା ପରେ ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ସେତେବେଳେ ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୪ ଥିଲା।

କରୋନାର ପ୍ରଥମ ଫଟୋ

ମାର୍ଚ୍ଚ ୨୮ ତାରିଖରେ ଭାରତରେ କରୋନାର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା। ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍‌ରୁ ମାଇକ୍ରୋସ୍କୋପ୍‌ ଜରିଆରେ ବର୍ତ୍ତମାନ ଏହାର ଫଟୋ ଉଠାଯାଇଥିଲା।

ରାଜ୍ୟରେ କରୋନା ସ୍ଥିତି

ପ୍ରଥମ ପଜିଟିଭ୍ ଚିହ୍ନଟ

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।

ଏହା ପରେ ମାର୍ଚ୍ଚ ୧୯ ତାରିଖରେ ଦ୍ୱିତୀୟ ରୋଗୀ ସେହି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ସେ ବି ବିଦେଶରୁ ଫେରିଥିବା ଜଣାପଡ଼ିଥିଲା। ସେହିପରି ତୃତୀୟ ବ୍ୟକ୍ତି ଜଣକ ମଧ୍ୟ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ। କିନ୍ତୁ ସେ ବିଦେଶ ଯାଇନଥିଲେ।

ପ୍ରଥମ କରୋନା ମୃତ୍ୟ

ଏପ୍ରିଲ ୭ ତାରିଖ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଥିଲା। ମୃତକଙ୍କ ଘର ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର। ତାଙ୍କୁ ୭୨ ବର୍ଷ  ବୟସ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ପୂର୍ବରୁ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

 

You might also like